ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା ଗଣେଷନ। ଯେ ଆଜି ରେଖା ନାଁରେ ବେଶ୍‌ ପରିଚିତ। ରେଖାଙ୍କ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ସୌନ୍ଦର୍ଯ୍ୟ, ଅଭିନୟ ଓ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ରେଖାଙ୍କ ଏହି କଳା ତାଙ୍କ ରକ୍ତରେ ହିଁ ରହିଛି। ହେଲେ ଫିଲ୍ମ ଜଗତରେ ହେଉ ବା ବ୍ୟକ୍ତିଗତ ଜୀବନରେ ସେ ବହୁ ଉତ୍ଥାନ ପତ୍ତନ ଦେଇ ଗତି କରିଛନ୍ତି। କିନ୍ତୁ ତାଙ୍କ ବିଷୟରେ ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗେ। ରେଖା କେବେ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିବା ବେଳେ ଏଥିପ୍ରତି ତାଙ୍କର ରୁଚି ମଧ୍ୟ ନ ଥିଲା। ସେ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କୁ ମାଡ଼ ମାରି ଅଭିନୟ ଶିଖାଯାଇଥିଲା। ସେ କେବେ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିବା ବେଳେ ତାଙ୍କ ମା’ ଏଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ। ରେଖା ଏକ କଳାକାର ପରିବାରରୁ ଆସିଥିବା ବେଳେ ତାଙ୍କ ବାପା ଜେମିନୀ ଗଣେଷନ ଦକ୍ଷିଣ ଭାରତର ଅଭିନେତା ଓ ମା’ ପୁଷ୍ପାବଲ୍ଳୀ ତେଲଗୁ ଅଭିନେତ୍ରୀ ରହିଥିଲେ। ଜେମିନୀ ପୁଷ୍ପାବଳୀଙ୍କୁ କେବେ ସ୍ତ୍ରୀର ମାନ୍ୟତା ଦେଇ ନ ଥିବା ବେଳେ ରେଖାଙ୍କୁ ମଧ୍ୟ ନିଜର ଝିଅ ବୋଲି ପରିଚୟ ଦେଇ ନ ଥିଲେ। କାରଣ ପୁଷ୍ପାବଳୀଙ୍କୁ ସେ ବିବାହ କରି ନ ଥିଲେ। ୧୯୯୦ରେ ରେଖା ବ୍ୟବସାୟୀ ମୁକେଶ ଅଗ୍ରଓ୍ବାଲଙ୍କୁ ବିବାହ କରିଥିବା ବେଳେ ତାଙ୍କର ବିବାହ ବେଶୀ ଦିନ ତିଷ୍ଠି ନ ଥିଲା। କାରଣ ମୁକେଶ ଆତ୍ମହତ୍ୟା କରି ଦେଇଥିଲେ। ରେଖା ୧୯୬୬ରେ ଶିଶୁ କଳାକାର ଭାବେ ଫିଲ୍ମ ‘ରଙ୍ଗୁଲା ରତନମ୍‌’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୧୭୫ଟି ଫିଲ୍ମରେ ଅଭିନୟ କରିସାରିଥିବା ବେଳେ ତାଙ୍କୁ ୩ଟି ଫିଲ୍ମ ଫେୟାର ଆଓ୍ବାର୍ଡ, ଗୋଟିଏ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। କେବଳ ସେତିକି ନୁହେଁ ରେଖା ନିଜ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ବହୁ ଚର୍ଚ୍ଚା ସାଉଁଟିଛନ୍ତି। ଅମିତାଭଙ୍କ ସହ ତାଙ୍କର ପ୍ରେମ କାହାଣୀ ଆଜି ବି ଆସେ ଚର୍ଚ୍ଚାକୁ। ହେଲେ ସେ କାହା ପାଇଁ ସିନ୍ଦୁର ଲଗାନ୍ତି ତାହା ଆଜି ବି ରହସ୍ୟ ହୋଇ ରହିଛି।

Share