(ଉପେନ୍ଦ୍ର ରାଉତ) ବଅଁରପାଳ,୨୭ା୫: ଜନ୍ମରୁ ଭିନ୍ନକ୍ଷମ। ମାଡ଼ ଭୟରେ ସ୍କୁଲ ଛାଡ଼ିଥିବାରୁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନାହିଁ। ହେଲେ ଜୀବନ ସଂଗ୍ରାମରେ ସେ ହାରି ଯାଇନାହାନ୍ତି। ନିଷ୍ଠା, କଠୋର ପରିଶ୍ରମ ବଳରେ ଜଣେ ସଫଳ ବାଇକ୍ ମିସ୍ତ୍ରି ହୋଇପାରିଛନ୍ତି। ଅନୁଗୋଳ କାଞ୍ଚନ ଟକିଜ୍ ନିକଟରେ ଗ୍ୟାରେଜ୍ କରି ନିଜ ପରିବାର ଚଳାଇବା ସହ ଅନ୍ୟ ୪/୫ଜଣଙ୍କୁ ବି କର୍ମନିଯୁକ୍ତି ଦେଇଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ।
ଏହି ସଫଳ ବାଇକ୍ ମିସ୍ତ୍ରି ହେଲେ ଅନୁଗୋଳ ବ୍ଲକ କାଙ୍ଗୁଲା ଗ୍ରାମର ପ୍ରକାଶ ସେଠ (୪୩)। ପୋଲିଓ ଆକ୍ରାନ୍ତ ଯୋଗୁ ପିଲାବେଳେ ବହୁ କଷ୍ଟରେ ଗଁା ସ୍କୁଲକୁ ଯାଉଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଥରେ ଶିକ୍ଷକଙ୍କଠାରୁ ଜୋରଦାର ମାଡ଼ ଖାଇଥିଲେ। ସେହିଦିନଠାରୁ ମାଡ଼ ଭୟରେ ସେ ଆଉ ସ୍କୁଲ ଯାଇ ନ ଥିଲେ। ପାଠରେ ଡୋରି ବନ୍ଧା ହେବା ପରେ କିଛି ରୋଜଗାର କରିବାକୁ ସେ ଇଚ୍ଛା କରିଥିଲେ। କିନ୍ତୁ ଭିନ୍ନକ୍ଷମ ଯୋଗୁ ଭଲ କାମଟିଏ ମିଳିଲା ନାହିଁ। ତେଣୁ ବଡ଼ ଭାଇଙ୍କ ଗ୍ୟାରେଜରେ କାମ କରିବାକୁ ନିଷ୍ପତ୍ତି ନେଲେ। ପ୍ରଥମେ ଗ୍ୟାରେଜ ସଫାସୁତୁରା କରୁଥିଲେ। ପରେ ବାଇକ୍ ମରାମତି କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କଲେ। ଭାଇଙ୍କଠାରୁ କିଛି ଦିନ କାମ ଶିଖିବା ପରେ ସେ ଭଲ ମିସ୍ତ୍ରିଟିଏ ହୋଇଗଲେ। ଏହାପରେ କାଞ୍ଚନ ଟକିଜ୍ ନିକଟରେ ନିଜର ଏକ ଗ୍ୟାରେଜ ଖୋଲି ମରାମତି କାର୍ଯ୍ୟ ଆରମ୍ଭ କଲେ। ଦୀର୍ଘ ୩୦ ବର୍ଷ ହେଲା ସେ ମେକାନିକ କାମ କରୁଛନ୍ତି। ଭଲ କାମ ଜାଣିଥିବାରୁ ତାଙ୍କ ନିକଟକୁ ଆଖ ପାଖ ଅଞ୍ଚଳରୁ ବହୁ ଗାଡ଼ି ମରାମତି ପାଇଁ ଆସୁଛି। ନିଜେ ଏତେ କାର୍ଯ୍ୟ କରିପାରୁ ନ ଥିବାରୁ ପାଖରେ ୪/୫ଜଣଙ୍କୁ ରଖି କାମ କରାଉଛନ୍ତି। ଗ୍ୟାରେଜ୍ରୁ ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳାଇବା ସହ ଝିଅ ପୁଅଙ୍କୁ ପଢ଼ାଉଛନ୍ତି। ଭିନ୍ନକ୍ଷମ ହୋଇଥିଲେ ବି କାହାର ଦୟାର ପାତ୍ର ହୋଇ ସେ ବଞ୍ଚତ୍ବାକୁ ଚାହାନ୍ତି ନାହିଁ ବୋଲି ପ୍ରକାଶ କହିଛନ୍ତି।