ମାଡ଼ ମାରି ବାଇକ ସହ ଲକ୍ଷାଧିକ ଟଙ୍କା ଲୁଟ୍‌

ବୁଗୁଡ଼ା,୬।୬(ଡି.ଏନ.ଏ.)- ବୁଗୁଡ଼ା ଥାନା ଏ.କରଡ଼ାବାଡ଼ି-ସୋରଡ଼ ଗ୍ରାମ ରାସ୍ତା ମଧ୍ୟରେ ଗୁରୁବାର ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ବାଇକ୍‌ ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବୁଗୁଡ଼ା ଅରବିନ୍ଦ ନଗରରେ ଥିବା ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ରଜନୀକାନ୍ତ ସାହୁ ଅର୍ଥ ଆଦାୟ କରିବାକୁ ଗୁରୁବାର ଏ.କରଡ଼ାବାଡ଼ି ଓ ସୋରଡ଼ ଗ୍ରାମକୁ ଯାଇଥିଲେ। ଆଦାୟ ହୋଇଥିବା ଲକ୍ଷାଧିକ ଟଙ୍କା ଧରି ବାଇକରେ ଫେରୁଥିବା ବେଳେ ୩ ଜଣ ଯୁବକ ଏକ ବାଇକରେ ଏ.କରଡ଼ାବାଡ଼ି-ସୋରଡ଼ ରାସ୍ତା ମଝିରେ ରଜନୀକାନ୍ତଙ୍କୁ ଅଟକାଇଥିଲେ। ନିର୍ଦ୍ଧୁମ ମାଡ଼ ମାରି ତାଙ୍କ ବାଇକ ଓ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଭଞ୍ଜନଗର ଏସ୍‌ଡିପିଓ, ବୁଗୁଡ଼ା ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ଓ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ଖବର ଲେଖା ହେବା ସୁଦ୍ଧା ବୁଗୁଡ଼ା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ।
ପ୍ରକାଶଥାଉକି ମେ’ ୮ରେ ମଧ୍ୟ ବୁଗୁଡ଼ା ଥାନା ଚିଲିଖମା-ମାଣିତରା ରାସ୍ତାରେ ଉକ୍ତ କମ୍ପାନୀର ଜଣେ କର୍ମଚାରୀ ଲକ୍ଷାଧିକ ଟଙ୍କା ଧରି ଫେରୁଥିବା ବେଳେ କେତେକ ଯୁବକ ତାଙ୍କୁ ମାଡ଼ ମାରି ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

Share