ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ ପାଇସାରିଛି। ହେଲେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ କାଜଲ ଅଗ୍ରଓ୍ବାଲ ପ୍ରଥମେ ଏହି ସମ୍ମାନ ଲାଭ କରିବାକୁ ଯାଉଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମରେ କାଜଲ ଏ ନେଇ ସୂଚନା ଦେଇଛନ୍ତି।

୨୦୨୦ ଫେବୃୟାରୀ ୫ରେ ସିଙ୍ଗାପୁରର ମାଡାମ ତୁଷାଦ୍‌ ମ୍ୟୁଜିୟମରେ କାଜଲଙ୍କ ମହମ ପ୍ରତିମୂର୍ତ୍ତିର ଲୋକାର୍ପଣ ହେବ। ଫଟୋ ଶେୟାର କରି କାଜଲ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। ସେ ପିଲାବେଳେ ଉକ୍ତ ମ୍ୟୁଜିୟମ୍‌କୁ ଯାଇଥିଲେ। ସେଠାରେ ବଡ଼ବଡ଼ ଲୋକଙ୍କ ମୂର୍ତ୍ତି ଦେଖି ଖୁସି ହୋଇଥିଲେ। ଏବେ ସେମାନଙ୍କ ଭିତରେ ନିଜକୁ ଦେଖିବା କଥା ଭାବିବା ସମୟରେ ଗର୍ବ ଲାଗୁଛି।

ପୂର୍ବରୁ ଅମିତାଭ ବଚ୍ଚନ, ଶାହରୁଖ୍‌ ଖାନ୍‌, ସଲମାନ ଖାନ୍‌, କାଟ୍ରିନା କୈଫ ଏବଂ ହ୍ରିତିକ ରୋଶନଙ୍କ ଭଳି କଳାକାର ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଥିବା ମ୍ୟୁଜିୟମରେ ସ୍ଥାନ ପାଇଛନ୍ତି। ବିଶେଷକରି ଲଣ୍ଡନରେ ଥିବା ମ୍ୟୁଜିୟମରେ ଅଧିକ କଳାକାର ରହିଛନ୍ତି। ଦକ୍ଷିଣ ଭାରତୀୟ ନାୟକ ମହେଶ ବାବୁ ଏବଂ ପ୍ରଭାସଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ହେଲେ ନାୟିକା ଭାବେ କାଜଲ ଏହି ଗୌରବ ଅର୍ଜନ କରିଛନ୍ତି।

Share