ମାଡିଗଲା ଡମ୍ପର: କ୍ରଶର ପରିସରରେ କାର୍ଯ୍ୟରତ କର୍ମଚାରୀ ମୃତ

ସଜନାଗଡ଼, ୧୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁରସ୍ଥିତ ସାଇ କ୍ରଶରରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଏକ ଡମ୍ପର ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭଉଁରିଆବାଡ଼ ପଞ୍ଚାୟତ ଜଡ଼ିବାଲି ଗ୍ରାମର ରଜତ ବାରିକ(୪୨) ।
ଏହି କ୍ରଶରରେ ରଜତ ୨୦ବର୍ଷ ହେଲା ଚାକିରି କରି ଆସୁଥିଲେ। ସୋମବାର ପୂର୍ବାହ୍ନ ୧୦ଟାରେ ମଧ୍ୟ ସେ ଉକ୍ତ କ୍ରଶରକୁ ଯାଇଥିଲେ। ଏକ ଡମ୍ପର (ନଂ. ଓଆର୍‌୧୬ଡ଼ି-୩୫୧୫) ଚିପ୍‌ସ ଆଣିବାକୁ ଯାଇଥିଲା। ରଜତ ସେଠାରେ ଠିଆ ହୋଇଥିଲେ। ଡମ୍ପର ଡ୍ରାଇଭର ଗାଡି ପଛକୁ ଆଣୁଥିବା ବେଳେ ଅସାବଧାନତାବଶତଃ ରଜତଙ୍କ ଉପରେ ତାହା ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ କର୍ମଚାରୀମାନେ ରଜତଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମେଡ଼ିକାଲରେ ପହଞ୍ଚତ୍ ଦୁଃଖରେ ଭାଙ୍ଗିପଡିଥିଲେ। କ୍ରଶର ମାଲିକ ସୁଧାସିନ୍ଧୁ ପଣ୍ଡା ପହଞ୍ଚତ୍ ସମବେଦନା ଜଣାଇବା ସହ ସମସ୍ତ ପ୍ରାପ୍ୟ ପ୍ରଦାନ କରିବେ ବୋଲି ପରିବାରବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପୋଲିସ ପହଞ୍ଚତ୍ ଡମ୍ପରକୁ ଜବତ କରି ଏକ ମାମଲା (ନଂ. ୨୯୬/୧୯) ରୁଜୁ କରିଛି। ଶବ ବ୍ୟବଚ୍ଛେଦ କରାଯାଇ ଘଟଣାର ତଦନ୍ତ ଜାରି କରାଯାଉଛି। ରଜତଙ୍କର ୧୪ ବର୍ଷର ପୁଅ ଅଛନ୍ତି।