Categories: ଜାତୀୟ

ମାତୃତ୍ୱ ବୟସ, ମାତୃ ମୃତ୍ୟୁହାର ଯାଞ୍ଚ ଲାଗି ଟାସ୍କଫୋର୍ସ

ନୂଆଦିଲ୍ଲୀ,୭ା୬(ପି.ଟି.): ମାତୃ ମୃତ୍ୟୁହାର କମାଇବାରେ ମାତୃତ୍ୱ ବୟସର କ’ଣ ସମ୍ପର୍କ ରହିଛି ତାହା ଯାଞ୍ଚ କରିବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ୧୦ ସଦସ୍ୟ ବିଶିଷ୍ଟ କମିଟି ବର୍ତ୍ତମାନର ଆଇନରେ ସଂଶୋଧନ କିମ୍ବା ଉପଯୁକ୍ତ ଆଇନ ଆଣିବା ପାଇଁ ପ୍ରସ୍ତାବ ଦେବ। ଏଥିସହିତ ଏହାର ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ସମୟସୀମା ଧାର୍ଯ୍ୟ କରିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଜୁଲାଇ ୩୧ ସୁଦ୍ଧା ଟାସ୍କଫାର୍ସକୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିବାହ ବୟସ ଏବଂ ମାତୃତ୍ୱ ସହିତ ସ୍ବାସ୍ଥ୍ୟ, ଚିକିତ୍ସାଗତ ଉପଯୁକ୍ତତା, ଗର୍ଭାବସ୍ଥା ଓ ପ୍ରସବ ବେଳେ ଏବଂ ଏହା ପରେ ମାଆ ଓ ଶିଶୁର ପୋଷକ ତତ୍ତ୍ୱ ସ୍ଥିତି, ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର, ମୋଟ ମୃତ୍ୟୁହାର, ଜନ୍ମ ସମୟର ଲିଙ୍ଗ ଅନୁପାତ, ଶିଶୁ ଲିଙ୍ଗ ଅନୁପାତ ଏବଂ ସ୍ବାସ୍ଥ୍ୟ ଓ ପୋଷଣ ତତ୍ତ୍ୱକୁ ନେଇ ଅନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଟାସ୍କ ଫୋର୍ସ ଅନୁଧ୍ୟାନ କରିବ। ଆବଶ୍ୟକ ହେଲେ ଟାସ୍କଫୋର୍ସ ଏହାର ବୈଠକକୁ ଅନ୍ୟ ବିଶେଷଜ୍ଞମାନଙ୍କୁ ଡାକିପାରିବ।

Share