Categories: ଖେଳ

ମାତୃ ବିୟୋଗ ସତ୍ତ୍ୱେ ସ୍ବଦେଶ ଫେରିଲେନି ନସୀମ

ପର୍ଥ, ୧୨।୧୧- ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନର ଦଳର ଯୁବ ଦ୍ରୁତ ବୋଲର ନସୀମ ଶାହଙ୍କ ପାଇଁ ମଙ୍ଗଳବାର ବେଶ୍‌ ଦୁଃଖଦାୟକ ସମୟ ରହିଥିଲା। ସୋମବାର ବିଳମ୍ବିତ ରାତିରେ ମା’ଙ୍କ ବିୟୋଗ ଘଟିଥିବା ଖବର ନସୀମ ଜାଣିବାକୁ ପାଇଥିଲେ। ତେବେ ଜିଓ ନ୍ୟୁଜ୍‌ ରିପୋର୍ଟ ମୁତାବକ ‘ଦୂରତା ଓ ସମୟସାପେକ୍ଷ’ ଲାଗି ୧୬ ବର୍ଷୀୟ ନସୀମ ପାକିସ୍ତାନ ନ ଫେରି ଅଷ୍ଟ୍ରେଲିଆରେ ଜାତୀୟ ଦଳ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନରେ ଅବସ୍ଥାପିତ ଥିବା ପରିବାର ସଦସ୍ୟଙ୍କ ସହ କଥାବର୍ତ୍ତା ପରେ ଶାହ ଏହି ଦୃଢ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ-ଏ ଦଳ ମଧ୍ୟରେ ଚାଲିଥିବା ୨ ଦିନିଆ ଅଭ୍ୟାସ ମ୍ୟାଚ୍‌ର ଅନ୍ତିମ ତଥା ଦ୍ୱିତୀୟ ଦିବସରେ ମଙ୍ଗଳବାର ସମସ୍ତ ଖେଳାଳି ହାତରେ କଳାପଟି ବାନ୍ଧି ଖେଳିଥିଲେ। ଏହି ଡାହାଣହାତୀ ଦ୍ରୁତ ବୋଲର ଅଭ୍ୟାସ ମ୍ୟାଚ୍‌ରେ ଖେଳୁଥିଲେ ମଧ୍ୟ ପାକିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସି ନ ଥିଲେ। ସେହିଭଳି ଅଷ୍ଟ୍ରେଲିଆ-ଏ ଇନିଂସରେ ମଧ୍ୟ ବୋଲିଂ କରିବାକୁ ସେ ପଡ଼ିଆକୁ ଓହ୍ଲାଇ ନ ଥିଲେ। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଆସନ୍ତା ୨୧ରୁ ବ୍ରିସବେନରେ ଆରମ୍ଭ ହେବ।

Share