Categories: ଖେଳ

ମାତ୍ର ୧୭ ଦିନ ମଧ୍ୟରେ ଚତୁର୍ଥ ଅନ୍ତର୍ଜାତୀୟ ଶତକ ହାସଲ କଲେ ଗିଲ

ଅହମ୍ମଦାବାଦ୍‌,୧।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ଚାରି ଉଇକେଟ୍‌ ହରାଇ ୨୩୪ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରି ଶୁଭମନ ଗିଲ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ୧୨ଟି ଚୌକା ଓ ୭ ଛକା ସହାୟତାରେ ୬୩ ବଲରେ ୧୨୬ ରନ୍‌ରେ ଶୁଭମନ ଅପରାଜିତ ରହିଥିଲେ।
ଗତ ୧୭ ଦିନ ମଧ୍ୟରେ ଏହା ଶୁଭମନଙ୍କ ଚତୁର୍ଥ ଅନ୍ତର୍ଜାତୀୟ ଶତକ। ଏହାପୂର୍ବରୁ ଶୁଭମାନ ଦିନିକିଆ ଫର୍ମାଟରେ ତିନି ଶତକ ସ୍କୋର କରିଛନ୍ତି। ତାଙ୍କର ମଧ୍ୟ ଏକ ଦ୍ୱିଶତକ ଅଛି। ଚଳିତ ବର୍ଷ ୧୫ ଜାନୁଆରୀରେ ଶୁଭମନ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୧୧୬ ରନ ସ୍କୋର କରିଥିଲେ ଏବଂ ୧୮ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ୨୦୮ ରନ କରିଥିଲେ। ଜାନୁଆରୀ ୨୪ରେ ଶୁଭମନ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୨ ସ୍କୋର କରିଥିଲେ। ବର୍ତ୍ତମାନ ସେ ଟି-୨୦ରେ ଏକ ଶତକ ହାସଲ କରିଛନ୍ତି।
ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ଶତକ ହାସଲ କରିବାରେ ଶୁଭମନ ହେଉଛନ୍ତି ସପ୍ତମ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ ସୁରେଶ ରାଇନା, ରୋହିତ ଶର୍ମା, କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ଦୀପକ ହୁଡା ଏହା କରିଛନ୍ତି। ଏଥି ସହିତ ସେ ଭାରତର ପଞ୍ଚମ ବ୍ୟାଟ୍ସମ୍ୟାନ ଯିଏ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ରାଇନା, ରୋହିତ, ରାହୁଲ ଏବଂ କୋହଲି ଏହା କରିଛନ୍ତି।

Share