Categories: ଖେଳ

ମାତ୍ର ୧୯ବର୍ଷ ବୟସରେ ବିଶ୍ୱକପ୍‌ରେ ଦୁଇଥର ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୮।୫: ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରେକର୍ଡର ବର୍ଷା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେହିପରି ଯଦି ବିଶ୍ୱକପ୍‌ ରେକର୍ଡ ଉପରେ ନଜର ପକାଇବା, ତେବେ ଶୀର୍ଷରେ ଅଛନ୍ତି ସଚିନ। ବିଶ୍ୱକପରେ ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ ଟିମର ଏପର୍ଯ୍ୟନ୍ତ ସବୁଠାରୁ ସଫଳ ଖେଳାଳି ରହିଛନ୍ତି। ବିଶ୍ୱକପରେ ତାଙ୍କ ନାଁରେ ସବୁଠାରେ ଅଧିକ ରନ ଏବଂ ଶତକର ରେକର୍ଡ ରହିଛି। ଏହାସହ ବିଶ୍ୱକପରେ ସବୁଠୁ କମ୍‌ ବୟସରେ ଦୁଇଥର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହେବା ରେକର୍ଡ ମଧ୍ୟ ସଚିନଙ୍କ ନାଁରେ ରହିଛି। ୧୯୮୯ରେ ମାତ୍ର ୧୬ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ସଚିନ। ୧୯୯୨ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ବିଶ୍ୱକପ୍‌ ଦଳରେ ସେ ସ୍ଥାନ ପାଇଥିଲେ। ଏହି ଟୁର୍ନାମେଣ୍ଟରେ ସେ ମୋଟ ୮ଟି ମ୍ୟାଚ୍‌ ଖେଳି ଯଥାକ୍ରମେ ୩୫, ୧୧, ୫୪, ୮୧, ୪, ୮୪, ୧୪ ରନର ପାଳି ଖେଳି ଇତିହାସ ରଚିଥିଲେ। ଗୋଟିଏ ମ୍ୟାଚ୍‌ରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ ବି ୮ଟି ମ୍ୟାଚ୍‌ରୁ ୩ଟି ଅର୍ଦ୍ଧଶତକ ହାସଲ କରି ଦୁଇଥର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେତେବେଳକୁ ତାଙ୍କ ବୟସ ଥିଲା ମାତ୍ର ୧୯ବର୍ଷ। ବିଶ୍ୱର ପ୍ରଥମ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କରିଥିଲେ ସଚିନ୍‌, ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି।

Share