Categories: ଖେଳ

ମାତ୍ର ୪୦ ମିନିଟ୍‌ରେ ଏହି ପାକିସ୍ତାନୀ ଖେଳାଳିଙ୍କ ହୃଦୟ ଜିତି ନେଲେ ସୌରଭ ଗାଙ୍ଗୁଲୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଏବଂ ପାକିସ୍ତାନ କ୍ରିକେଟ ଖେଳ ସବୁବେଳେ ରୋମାଞ୍ଚଭରା ହୋଇଥାଏ। ଦୁଇ ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟରେ ଖେଳ ପଡ଼ିଆ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ତେବେ ପଡ଼ିଆ ବାହାରେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ। ଏହା ଦୁଇଦେଶର ଖେଳାଳିଙ୍କ ଖେଳୁଆଡ଼ ମନୋବୃତ୍ତିକୁ ସୂଚିତ କରିଥାଏ। ଏଭଳି ସମ୍ପର୍କକୁ ବିଶ୍ୱବ୍ୟାପି ସମସ୍ତ ଖେଳାଳି ପସନ୍ଦ କରିଥାନ୍ତି। ସମ୍ପ୍ରତି ପାକିସ୍ତାନର ସ୍ପିନର ସାକଲିନ୍‌ ମୁସ୍ତାକ୍‌ଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ସାକଲିନ୍‌ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ୨୦୦୫-୦୬ରେ ସାକଲିନ୍‌ଙ୍କ ଆଣ୍ଠୁରେ ଅପରେସନ୍‌ ହୋଇଥିଲା। ପ୍ରାୟ ୩୭ ସପ୍ତାହ ସେ ହସ୍ପିଟାଲରେ ରହିଥିଲେ। ଏହାପରେ ସକ୍ସେସ୍‌ ପକ୍ଷରୁ ଏକ ମ୍ୟାଚ୍‌ ଖେଳିବାକୁ ସେ ଇଂଲଣ୍ଡ ଆସିଥିଲେ। ସେତେବେଳେ ଭାରତୀୟ ଦଳ ଇଂଲଣ୍ଡରେ ଥିଲେ। ଏହି ମ୍ୟାଚ୍‌ ଦେଖିବାକୁ ସୌରଭ ଆସିଥିଲେ। ହଠାତ୍‌ ସୌରଭଙ୍କ ନଜର ସାକଲିନ୍‌ଙ୍କ ଉପରେ ପଡ଼ିଲା। ସେ ଡ୍ରେସିଂ ରୁମ୍‌କୁ ଆସି ସାକଲିନ୍‌ଙ୍କ ସହିତ କଥାବାର୍ତ୍ତା କରିବା ସହିତ ତାଙ୍କର ସ୍ବାସ୍ଥ୍ୟ ଏବଂ ପରିବାର ସଦସ୍ୟଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଦୀର୍ଘ ୪୦ ମିନିଟ୍‌ ଧରି ସେ କଥାବାର୍ତ୍ତା ହେବା ପରେ ଡ୍ରେସିଂ ରୁମ୍‌ରୁ ଚାଲିଯାଇଥିଲେ। ଗାଙ୍ଗୁଲୀଙ୍କ ଏଭଳି ମନୋଭାବ ସାକଲିନ୍‌ଙ୍କ ହୃଦୟକୁ ସହଜରେ ଜିଣି ନେଇଥିଲା।

Share