Categories: ବାଣିଜ୍ୟ

ମାତ୍ର ୫୯ ମିନିଟରେ ଘର, ଗାଡ଼ି ଋଣ ଦେବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୮: ଏଣିକି ଘର ଓ ଗାଡ଼ି ଋଣ ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଦୌଡିବାକୁ ପଡିବ ନାହିଁ। ସେମାନେ ଏଣିକି ଏହି ଋଣକୁ ମାତ୍ର ୫୯ ମିନିଟରେ ପ୍ରଦାନ କରିବେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ‘ପିଏସ୍‌ବିଲୋନ୍ସଇନ୍‌୫୯ମିନିଟ୍ସ’ ପୋର୍ଟାଲକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଏହି ପୋର୍ଟାଲ ଜରିଆରେ ମାତ୍ର ୫୯ ମିନିଟରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ତେବେ ଏସ୍‌ବିଆଇ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ କର୍ପୋରେଶନ ବ୍ୟାଙ୍କ ଏହି ସୀମାକୁ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବେ ଅନେକ ରିଟେଲ ଋଣକୁ ଉକ୍ତ ଶ୍ରେଣୀରେ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜେନେରାଲ ମ୍ୟାନେଜର ସଲିଲ କୁମାର କହିଛନ୍ତି ଯେ, ଉକ୍ତ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ସହଜରେ ଋଣ ମିଳିଯିବ। ଏହାଦ୍ୱାରା ଜଟିଳ ପ୍ରକ୍ରିୟା ଶେଷ ହୋଇଯିବା ସହିତ ଋଣ ରାଶି ଜାରି ସମୟସୀମା ହ୍ରାସ ପାଇବ। ବର୍ତ୍ତମାନ ଅନୁମୋଦନ ପତ୍ର ପାଇବାର ୭ରୁ ୮ ଦିନ ପରେ ହିଁ ଋଣ ରାଶି ବ୍ୟାଙ୍କ ପ୍ରଦାନ କରୁଛି।

Share