ମାଧୁରୀଙ୍କ ପାଇଁ କଶ୍ମୀର ଛାଡି ଦେବାକୁ ପ୍ରସ୍ତୁତ ଥିଲା ପାକିସ୍ତାନ !

ମୁମ୍ବାଇ: ବଳିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଶୁକ୍ରବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଏବେ ସେ ବଡ ପରଦାରେ ଏତେଟା ନଜର ଆସୁ ନ ଥିଲେ ମଧ୍ୟ ଆଜିବି ତାଙ୍କ ଅଭିନୟକୁ ଦର୍ଶକେ ଅଭୁଲା କରି ରଖିଛନ୍ତି। ୯୦ ଦଶକର ଏହି ହିଟ୍‌ ନାୟିକା ଏକମାତ୍ର ନାୟିକା ଯାହାଙ୍କ ପାଇଁ ସେ ସମୟରେ ପଣ୍ଡିତ ବିରଜୁ ମହାରାଜ କୋରିଓଗ୍ରାଫ କରିଥିଲେ ବୋଲି କୁହାଯାଏ। ସଞ୍ଜୟ ଲିଲା ଭଂସାଲିଙ୍କ ଫିଲ୍ମ ‘ଦେବଦାସ’ର ଗୀତ ‘କାହେ ଛେଡ ମୋହେ..’ ପାଇଁ ପଣ୍ଡିତ ବିରଜୁ ମହାରାଜ କୋରିଓଗ୍ରାଫ କରିଥିଲେ। ଆଉ ଏଥିରେ ମାଧୁରୀ ଯେଉଁ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିଥିଲେ ତାହାର ଦାମ୍‌ ୧୫-୨୦ ଲକ୍ଷ ମଧ୍ୟରେ ଥିଲା ବୋଲି କୁହାଯାଏ। ମାଧୁରୀ ଏମିତି ଜଣେ ନାୟିକା ଯାହାଙ୍କ ପ୍ରେମ କାହାଣୀ ଏତେଟା ଚର୍ଚ୍ଚିତ ନ ହୋଇଥିଲେ ମଧ୍ୟ ନାୟକ ଅନିଲ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଉଭୟ ଅଭିନୟ କରିଥିବା ଫିଲ୍ମ ‘ରାମ ଲଖନ’, ‘କିଶନ କହ୍ନେୟା’, ‘ବେଟା’ ଆଦି ବକ୍ସ ଅଫିସରେ ହିଟ୍‌ ହେବା ପରେ ଏମାନଙ୍କ ଯୋଡିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ହେଲେ ଉଭୟ ଏକଥାକୁ କେବେବି ସ୍ବୀକାର କରି ନ ଥିଲେ। ଆଉଏକ ସମୟରେ ମାଧୁରୀଙ୍କ ନାଁ ସହ ଯୋଡି ହୋଇଯାଇଥିଲା ବଲିଉଡ୍‌ର ମୁନ୍ନାଭାଇ ଅର୍ଥାତ ସଞ୍ଜୟ ଦତ୍ତଙ୍କ ନାଁ। ହେଲେ ଏହାବି କେବଳ ଚର୍ଚ୍ଚାରେ ରହିଯାଇଥିଲା। ମାଧୁରୀ କିନ୍ତୁ ଶେଷରେ ବିବାହ କରିଥିଲେ ଡାକ୍ତର ଶ୍ରୀରାମ ନେନେଙ୍କୁ। ତେବେ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ମାଧୁରୀଙ୍କର ଅନେକ ପ୍ରଶଂସକ ଥିଲେ। କୁହାଯାଏ ଯେତେବେଳେ ଭାରତ ପାକିସ୍ତାନ ସୀମାରେ କଳହ ସୃଷ୍ଟି ହୁଏ ସେତେବେଳେ ପାକିସ୍ତାନ କୁଆଡେ କହେ ଆମକୁ ମାଧୁରୀ ଦିକ୍ଷିତଙ୍କୁ ଦେଇ ଦିଅ ଆମେ ତୁମକୁ କଶ୍ମୀର ଛାଡିଦେବୁ। ଆଜିବି ଏହା ଚର୍ଚ୍ଚାରେ ରହୁଥିବା ବେଳେ ବେଳେ ଦେଖାଯାଏ।

Share