କାଠମାଣ୍ଡୁ,୨୮ା୫: ନେପାଳ ମାନଚିତ୍ରରେ ପରିବର୍ତ୍ତନ ଲାଗି ବୁଧବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ନେଇ ଆଲୋଚନା ହେବାର ଥିଲା। ଏବେ ଆଲୋଚନାରୁ ଏହି ପ୍ରସଙ୍ଗ ବାଦ୍ ପଡ଼ିଛି। ଫଳରେ ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଉଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଝଟ୍କା ଲାଗିଛି। ମାନଚିତ୍ର ସଂଶୋଧନ ଉପରେ ଜାତୀୟ ସହମତି ହାସଲ ଲାଗି ବିଭିନ୍ନ ଦଳ ଦାବି କରିବା ସହ ଏଥିପାଇଁ ସମୟ ମାଗିଥିଲେ।
ନୂଆ ରାଜନୈତିକ ମାନଚିତ୍ରରେ ଭାରତୀୟ ଅଞ୍ଚଳ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖ ନେପାଳରେ ବୋଲି ଦର୍ଶାଯାଇଥିଲା। ଏହି ନୂଆ ମାନଚିତ୍ରକୁ ଅନୁମୋଦନ କରିବା ଲାଗି ସମ୍ବିଧାନ ସଂଶୋଧନ ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳର ସହମତି ହାସଲ କରିପାରି ନାହାନ୍ତି। ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଓଲି ଗୋର୍ଖା ଜାତୀୟତାବାଦ ଲଦିଦେବାକୁ ଉଦ୍ୟମ କରୁଥିବା ଅଧିକାଂଶ ଦଳ ଅଭିଯୋଗ କରିଛନ୍ତି। ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ବିରୋଧର ସମ୍ମୁଖୀନ ହୋଇଥିବା ପ୍ରଧାନମନ୍ତ୍ରୀ ଓଲି ଉତ୍ତରାଖଣ୍ଡର ଧାରଚୁଲାରୁ ଲିପୁଲେଖ ପର୍ଯ୍ୟନ୍ତ ଭାରତ ନିର୍ମାଣ କରୁଥିବା ରାସ୍ତାକୁ ବିରୋଧ କରି କାଠମାଣ୍ଡୁରେ ବିକ୍ଷୋଭର ଆୟୋଜନ କରିଥିଲେ। ଏହାର କିଛିଦିନ ପରେ ସେ ଲିପୁଲେଖ ଏବଂ କାଲାପାନିକୁ ନେପାଳ ଅଞ୍ଚଳ ବୋଲି ଦର୍ଶାଇ ଏକ ନୂଆ ମାନଚିତ୍ର କ୍ୟାବିନେଟରେ ଅନୁମୋଦନ କରାଇଥିଲେ। ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସର ବିରୋଧ ଯୋଗୁ ପାର୍ଲାମେଣ୍ଟରେ ତାହା ଉପରେ ଆଲୋଚନା ହୋଇପାରି ନାହିଁ। ନେପାଳର ଏହି ନୂଆ ରାଜନୈତିକ ମାନଚତ୍ରକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। କାଠମାଣ୍ଡୁର ଏଭଳି ଏକପାଖିଆ କାର୍ଯ୍ୟ ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଆଧାରିତ ନୁହେଁ। ସୀମାକୁ ନେଇ ଦ୍ୱିପାକ୍ଷିକ ବୁଝାମଣାର ଏହା ଉଲ୍ଲଂଘନ। ଏଭଳି ମାନଚତ୍ର ଗ୍ରହଣୀୟ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।