ଜୁନାଗଡ଼,୨୯।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ବିଏସ୍ଏସ୍ଓ(ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ) ତୁଷାର ରଞ୍ଜନ ସାହୁ ମାନବିକତା ଦେଖାଇଛନ୍ତି। ରାସ୍ତା କଡ଼ ଗଛ ତଳେ ଅସହାୟ ଭାବେ ବସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଧର୍ମଗଡ଼ ବ୍ଲକ ଗମ୍ଭାରୀଗୁଡାସ୍ଥିତ ଯଶୋଦା ଅନାଥାଶ୍ରମରେ ଛାଡିଛନ୍ତି। ସେଠାରେ ତାଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରଖାଯାଇଛି।
ମିଳିଥିବା ସୁଚନା ଅନୁଯାୟୀ,ବିଏସ୍ଏସ୍ଓ ସାହୁ ମଙ୍ଗଳବାର କୁରୁଗୁଡାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର (ଟିଏମ୍ସି)ର ସ୍ଥିତି ଅନୁଧ୍ୟାନ କରିବା ଲାଗି ଯାଉଥିଲେ। ଏହି ସମୟରେ ବାଟରେ ଜୁନାଗଡ଼ ସାପ୍ତାହିକ ବଜାର ନିକଟ ଏକ ବରଗଛ ତଳେ ଜଣେ ମହିଳା ଅସହାୟ ଭାବେ ବସିଥିବା ଦେଖିବାକୁ ପାଇଥିଲେ। ପରେ ମହିଳାଙ୍କ ଅବସ୍ଥା ଦେଖି ବିଏସ୍ଏସ୍ଓ ସାହୁ ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ, ତହସିଲଦାର ଓ ଡିଏସ୍ଏସ୍ଓଙ୍କୁ ଜଣାଇଥିଲେ। ଏହାପରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଚିଠି ଯଶୋଦା ଅନାଥାଶ୍ରମ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ବିଏସ୍ଏସ୍ଓ ସଂପୃକ୍ତ ମହିଳାଙ୍କୁ ସେହି ଅନାଥାଶ୍ରମରେ ଛାଡିବାକୁ ନେଇଥିଲେ। ବର୍ତ୍ତମାନ କରୋନା ଭୟ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ତାଙ୍କୁ ହୋମ କ୍ୱାରାନଣ୍ଟାଇନରେ ରଖାଯାଇଛି।