ନୂଆଦିଲ୍ଲୀ,୨ା୯: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ପ୍ରକାଶିତ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)ରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କୁ ଅଯୋଗ୍ୟ ଦର୍ଶାଯାଇ ବାଦ୍ ଦିଆଯାଇଛି। ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରିବା ଏହାର ଉଦ୍ଦେଶ୍ୟ ବୋଲି ଏନ୍ଆର୍ସି ପକ୍ଷରୁ ଦାବି କରାଯାଇଥିବାବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ଅଟକ ରଖାଯାଇପାରେ। ଏଥିଯୋଗୁ ଆସାମରେ ମାନବିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଗାର୍ଡିଏନ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଓ୍ବାଶିଂଟନ ପୋଷ୍ଟରେ ‘ଭାରତୀୟ ରାଜ୍ୟରେ ନାଗରିକତ୍ୱ ତାଲିକାରୁ ପ୍ରାୟ ୨ ନିୟୁତ ଲୋକଙ୍କୁ ବାଦ୍ ଦିଆଯାଇଛି’ ଶୀର୍ଷକ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବେଆଇନ ପ୍ରବାସୀଙ୍କୁ ଏନ୍ଆର୍ସିରୁ ବାଦ୍ ଦିଆଯିବାର ପରିଣାମ ସମେତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସାୟେରା ବେଗମ୍ଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତାଙ୍କ ନାମ ଏନ୍ଆର୍ସି ତାଲିକାରେ ନାହିଁ ବୋଲି ଗୁଜବ ଶୁଣିବା ପରେ ସାୟେରା ଏକ କୂଅକୁ ଡେଇଁପଡ଼ିଥିଲେ। ତାଲିକା ପ୍ରକାଶ ପାଇବା ପରେ ତାଙ୍କ ନାମ ସେଥିରେ ରହିଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ସେହିପରି ତାଲିକାରୁ ବାଦ୍ ପଡ଼ିଥିବା ଲୋକେ ସମ୍ମୁଖୀନ ହେଉଥିବା ଆଇନଗତ କଠିନତାକୁ ନେଇ ଅଲ୍-ଜଜିରା ରିପୋର୍ଟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛି। ୧୨୦ ଦିନ ମଧ୍ୟରେ ୨୦ ଲକ୍ଷରୁ ୩୦ ଲକ୍ଷ ମାମଲାର ବିଚାର କରିବା ବିଦେଶୀ ଟ୍ରିବ୍ୟୁନାଲଗୁଡ଼ିକ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ ବୋଲି ନୂଆଦିଲ୍ଲୀସ୍ଥିତ ରାଇଟ୍ସ ଆଣ୍ଡ ରିସ୍କସ ଆନାଲିସିସ୍ ଗ୍ରୁପ୍ ନିଦ୍ଦେର୍ଶକ ସୁହାସ ଚକ୍ମା କହିଛନ୍ତି। ଜାତୀୟ ସ୍ତରରେ ଏନ୍ଆର୍ସି କାର୍ଯ୍ୟକାରୀ କରିବା ପାଇଁ ଚାହୁଁଥିବା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଏକତା ପ୍ରବାସୀଙ୍କୁ କୀଟ ଭାବେ ଅଭିହିତ କରିଥିଲେ, ଯାହାକୁ ଭାଜପା ସମର୍ଥନ କରିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବାଂଲାଦେଶର ପ୍ରମୁଖ ଖବରକାଗଜ ‘ଦି ଡେଲି ଷ୍ଟାର’ରେ ପ୍ରକାଶିତ ରିପୋର୍ଟରେ ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍ଦୁଲ୍ ମୋମେନ୍ କହିଛନ୍ତି, ଏନ୍ଆର୍ସିରୁ ବାଦ୍ ପଡ଼ିଥିବା ଲୋକେ ବାଂଲାଦେଶୀ ନୁହନ୍ତି। ଏନ୍ଆର୍ସି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ତାକୁ ନେଇ ଆମର ଚିନ୍ତା କରିବାର କିଛି ନାହିଁ। ଆସାମ ସୀମାରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଛି ବୋଲି ବର୍ଡର ଗାର୍ଡ ବାଂଲାଦେଶ ଅଧିକାରୀମାନେ କହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।