ମାନବ କଲ୍ୟାଣରେ ବ୍ରତୀ ହେବାକୁ ଆହ୍ବାନ

ଅମରପାଲି, ୨୩।୯ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ରେଡକ୍ରସ ପକ୍ଷରୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କଲେଜରେ ତିନିଦିନ ଧରି ଚାଲିଥିବା ଯୁବ ରେଡକ୍ରସ ଶିକ୍ଷା, ତାଲିମ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। ସେ ନିଜ ବକ୍ତବ୍ୟରେ ଛାତ୍ରୀଛାତ୍ରଙ୍କୁ ମାନବ କଲ୍ୟାଣରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ। ସତ୍ୟ ଅହିଂସା ମାର୍ଗ ଅବଲମ୍ବନ କରି ସତ୍ୟକୁ ସାହସ କରିବା ସହିତ ସତ୍‌ଚିନ୍ତା, ସତ୍‌କର୍ମ, ସତ୍‌ପଥ ଅନୁସରଣ କଲେ ସଫଳତା ମିଳିଥାଏ ବୋଲି କହିଥିଲେ। ମଣିଷ ତାର ଆଚରଣରେ ବଡ ଲୋକ ହୋଇଥାଏ। ଉତ୍ତମ ଆଚରଣ ପାଇଁ ନିଶାମୁକ୍ତ ସମାଜର ଆବଶ୍ୟକତା ରହିଛି। ତେଣୁ ସମାଜକୁ ନିଶାମୁକ୍ତ କରିବା ପାଇଁ ପ୍ରୟାସ ରହୁ ବୋଲି ସେ କହିଥିଲେ। ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ଓଡିଶା ଯୁବ ରେଡକ୍ରସର ପର୍ଯ୍ୟବେକ୍ଷକ ବି. ଗୋବିନ୍ଦ ରାଓ ସମ୍ମାନୀତ ଅତିଥିଭାବେ ମଞ୍ଚାସୀନ ଥିଲେ। କଲେଜ ଯୁବ ରେଡକ୍ରସ ପରାମର୍ଶଦାତା ରମାକାନ୍ତ ପୁରୋହିତ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ଯୁବ ରେଡକ୍ରସ ସଂଯୋଜକ ଉମାକାନ୍ତ ନାଗ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିବିରାର୍ଥୀଙ୍କୁ ନେଇ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବାଶିଷ ପ୍ରଧାନ ସଂଯୋଜନା କରିଥିଲେ। ତିନିଦିନ ଧରି ହୋଇଥିବା ଉକ୍ତ ଶିବିରରେ ଜିଲାର ୩୨ଟି କଲେଜର ପ୍ରାୟ ୧୫୦ଜଣ ସ୍ବେଚ୍ଛାସେବୀ ଓ ଅଧ୍ୟାପିକା ଅଧ୍ୟାପକ ଯୋଗଦେଇଥିଲେ। ବିଭିନ୍ନ ଦିବସରେ ସ୍ବେଚ୍ଛାସେବୀମାନଙ୍କୁ ଭିନ୍ନଭିନ୍ନ ତାଲିମ ପ୍ରଦାନ କରାଯାଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା। ସଭା ଶେଷରେ ମୁଖ୍ୟଅତିଥି ରେଡକ୍ରସ ପତାକାକୁ ଅବତରଣ କରିଥିଲେ।

Share