ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରୁଛନ୍ତି। ଗତ ୨୦୧୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ସଦର ନିର୍ବାଚନମଣ୍ଡଳୀରୁ ପ୍ରତିଯୋଗିତା କରି ୨୫ହଜାରରୁ ଊର୍ଦ୍ଧ୍ୱ ଭୋଟ ହାତେଇ ଥିବାବେଳେ ଚଳିତ ନିର୍ବାଚନରେ କଂଗ୍ରେସ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଛି। ଏନେଇ ମାନସ ସମସ୍ତ ଦଳୀୟ କର୍ମୀଙ୍କୁ ଏକାଠି କରି ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହେଉଛନ୍ତି।

ଶନିବାର ପୂର୍ବାହ୍ନରେ ସେ ଘରକୁ ଘର ଯାଇ କ୍ୟାମ୍ପେନିଂ କରିବା ସହ ରାଇସୁଆଁ, ଦୁବଲାଗଡ଼ି, ବଇଁଚା, ଗୋପୀନାଥପୁର, ଅରଡ଼ବଜାର, ଦରଜିପୋଖରୀ, ଗୋଳାପୋଖରୀ, ଦରଘାମଇଦାନ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ସଦର ନିର୍ବାଚନମଣ୍ଡଳୀରେ ଦୀର୍ଘଦିନ ଧରି ଶିଳ୍ପର ବିକାଶ ଠପ୍‌ ହୋଇ ରହିଥିବା ବେଳେ ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ନ ପାଇ ଦୁର୍ଦ୍ଦଶାରେ ପଡ଼ିଛନ୍ତି ବୋଲି  କହି ମାନସ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ।  କଂଗ୍ରେସ ଆସିଲେ ଯୁବ, ଚାଷୀ, ମହିଳାଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଗ୍ୟାରେଣ୍ଟି କାଡ଼ର୍ର୍ ମାଧ୍ୟମରେ ପ୍ରତିଶ୍ରୁତି ଦେଉଥିବା ପ୍ରକାଶ କରି ବିଧାୟକ ଏବଂ ଏମ୍‌ପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।