ଜୟପୁର,୨୯ା୮(ଡି.ଏନ୍.ଏ.) ଜୟପୁର ସହରର ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ରମେଶ ପୂଜାରୀ (ଟୁଟୁ)ଙ୍କୁ ଉଦ୍ଧାର କରି ନୂଆ ରାହା ଦେଖାଇଛନ୍ତି ବାଲ୍ୟବନ୍ଧୁ ଶିବାଜୀ ପଟ୍ଟନାୟକ। ଏହି ଖବର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଟୁଟୁଙ୍କୁ କୌଣସି ମନସ୍ତତ୍ୱ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସା ସହ କାଉନସେଲିଂର ଆବଶ୍ୟକତା ରହିଛି ା ସରକାର କିମ୍ବା କୌଣସି ସଂସ୍ଥା ଏହି ବ୍ୟବସ୍ଥା କରାଇଲେ ଟୁଟୁ ସୁସ୍ଥ ସମାଜକୁ ଫେରି ଆସିପାରିବେ ବୋଲି କହିଛନ୍ତି ଶିବାଜୀ।
ଟୁଟୁ ପିଲାବେଳେ ଜଣେ ମେଧାବୀ ଛାତ୍ର ରହିବା ସହ ଭଲ କ୍ରିକେଟ୍ ଖେଳୁଥିଲେ। ଜୟପୁର ପୌରସଂସ୍ଥାରେ କର୍ମଚାରୀ ଭାବେ କାମ କରୁଥିଲେ, କିନ୍ତୁ ପ୍ରାୟ ୫ବର୍ଷ ତଳେ କୌଣସି କାରଣରୁ ସେ ମାନସିକ ଭାରସାମ୍ୟ ହରାଇବା ସହ ଆଉ ଘରକୁ ନଯାଇ ରାସ୍ତାରେ ଘୂରି ବୁଲୁଥିଲେ। କିଏ କିଛି ଦେଲେ ଖାଉଥିଲେ। ଦୋକାନ ବାରଣ୍ଡାରେ ଶୋଇପଡୁଥିଲେ। ଗତ ସୋମବାର ଶିବାଜୀ ପଟ୍ଟନାୟକ ନିଜ ମାନସିକ ଅସୁସ୍ଥ ବନ୍ଧୁଙ୍କୁ ରାସ୍ତାରେ ଅଟକାଇ ବୁଝାସୁଝା କରିବା ପରେ ସେଲୁନକୁ ନେଇ ଦୀର୍ଘ ବର୍ଷଧରି ବଢ଼ିଥିବା କେଶ, ଦାଢ଼ି କଟାଇବା ପରେ ନୂଆ ପୋଷାକ ପିନ୍ଧାଇଥିଲେ। ତାଙ୍କୁ ନିଜ ପାଖରେ ରଖି ଖାଇବାକୁ ଦେଇଛନ୍ତି ା କୋରାପୁଟ ମେଡିକାଲ କଲେଜର ମନସ୍ତତ୍ୱ ବିଶେଷଜ୍ଞଙ୍କ ପାଖରେ ତାଙ୍କର ଚିକିତ୍ସା କରାଇବେ ବୋଲି ଶିବାଜୀ କହିଛନ୍ତି।