Categories: ଜାତୀୟ

ମାନସିକ ଚିକିତ୍ସା ପାଇଁ ଭାରତୀୟଙ୍କ ପାଖରେ ନାହିଁ ଟଙ୍କା

ନୂଆଦିଲ୍ଲୀ, ୧୮।୬: ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଭାରତୀୟ ମାନସିକ ଅବସାଦ ଗ୍ରସ୍ତ ହୋଇଥାନ୍ତି। କେତେକ ଏହାର ଚିକିତ୍ସା ମଧ୍ୟ କରିଥାନ୍ତି। ଅପରପକ୍ଷରେ ଏହାର ଚିକିତ୍ସା ପାଇଁ ଲାଗୁ ଥିବା ଟଙ୍କାର ଅଭାବ ଯୋଗୁ ବହୁ ଲୋକ ନିଜର ସ୍ଥିତି ସହିତ ବଞ୍ଚିବାକୁ ବାଧ୍ୟ ହୋଇଥାନ୍ତି। ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କୁ କେବଳ ପରାମର୍ଶ ଦେବା ଲାଗି ୧୫ ଶହ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସକ ନେଇଥାନ୍ତି। ଚିକିତ୍ସକ ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ସାଧାରଣ ଧ୍ୟାନ ବିଷୟରେ ସଚେତନ କରାଇଥାନ୍ତି। ଏହା ସହିତ ଶରୀରରେ ଭିଟାମିନର ଅଭାବ ପରୀକ୍ଷା, ଥାଇରଏଡ୍‌ ଏବଂ ଅନ୍ୟ ହରମୋନସ୍ତର ଯାଞ୍ଚ୍‌ ମଧ୍ୟ କରାଯାଇଥାଏ। କେତେକ ଏଥିପାଇଁ ସ୍ବାସ୍ଥ୍ୟସେବା ଶିବିରରେ ଯୋଗମଧ୍ୟ ଦେଇଥାନ୍ତି। ଶିବିରରେ ଏକ ଘଣ୍ଟା ପାଇଁ ପେଶାଦାର ଥେରାପିଷ୍ଟ ୮ଶହ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ଏଭଳି ୨୦ରୁ ୩୦ ଥର ଶିବିରରେ ଯୋଗ ଦେବାକୁ ଥେରାପିଷ୍ଟ ପରାମର୍ଶ ଦେଇଥାନ୍ତି। ଫଳରେ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କର ୧୬ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଯାହାକି ଭାରତ ଭଳି ଦେଶରେ ଜଣେ ସାଧାରଣ ଲୋକ ଲାଗି ଏହା ଅସମ୍ଭବ ମନେ ହୁଏ। ମାନସିକ ଅବସାଦି ଚିକିତ୍ସା ପାଇଁ ବୀମାରେ ଉଲ୍ଲେଖ କରାଯାଇଛି। ୨୦୧୭ ମେଣ୍ଟାଲ ହେଲଥ୍‌ କେୟାର ଆକ୍ଟ ଅନୁସାରେ ଏଭଳି ଚିକିତ୍ସାକୁ ବୀମାଭୁକ୍ତ କରାଯିବ। ଏହା ଅନୁସାରେ ପ୍ରତି ପଲିସି ଧାରକଙ୍କୁ ମେଣ୍ଟାଲ ହେଲଥ୍‌ କେୟାର ଲାଗି ଅର୍ଥ ଯୋଗାଇ ଦିଆଯିବ। ଏହାକୁ ବୀମା ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ(ଆଇଆର୍‌ଡିଏଆଇ)ଙ୍କ ସ୍ବୀକୃତି ମଧ୍ୟ ମିଳିଛି। ସୁପ୍ରିମ୍‌କୋର୍ଟ ମଧ୍ୟ ଏନେଇ ଆଇଆର୍‌ଡିଏଆଇକୁ ନିର୍ଦ୍ଦେଶ ବି ଦେଇଛନ୍ତି। ମାତ୍ର ସମସ୍ତ କ୍ଷେତ୍ରରେ ବୀମା ଧାରକଙ୍କୁ ଆବଶ୍ୟକ ସହାୟତା ମିଳି ପାରୁ ନାହିଁ। ଫଳରେ ମାନସିକ ଅବସାଦ ଗ୍ରସ୍ତ ରୋଗୀ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ପାଇପାରୁ ନାହାଁନ୍ତି।

Share