ମାନସିକ ବିକୃତଙ୍କୁ ବିବାହ କରାଇ ବଜାରରେ ବୁଲାଇବା ଘଟଣା: ଏସ୍‌ପିଙ୍କୁ ଭେଟିଲେ ମାନବାଧିକାର ପରିଷଦ ସଦସ୍ୟ

ବାଲେଶ୍ୱର ଅଫିସ,୨୭।୧୨-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଗତ ୨୪ ତାରିଖରେ ଦୁଇଜଣ ମାନସିକ ବିକୃତଙ୍କୁ ଜବରଦସ୍ତ ବିବାହ କରାଇ ବଜାରରେ ବୁଲାଇବା ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ପ୍ରତିବାଦ କରି ଶୁକ୍ରବାର ଆନ୍ତର୍ଜାତିକ ମାନବାଧିକାର ପରିଷଦ, ଓଡ଼ିଶା ଶାଖା ତରଫରୁ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କୁ ଉକ୍ତ ବିଷୟରେ ଅବଗତ କରାଯାଇଛି। ଦିବ୍ୟାଙ୍ଗଙ୍କୁ ସହାୟତା ଯୋଗାଇ ଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଦାବି କରାଯାଇଛି।
ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶା ଶାଖାର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ କହିବାନୁସାରେ ୨ଜଣ ମାନସିକ ବିକୃତଙ୍କୁ ସ୍ଥାନୀୟ ଲୋକମାନେ ଜବରଦସ୍ତ ବିବାହ କରାଇ ବଜାରରେ ବୁଲାଇ ସେମାନଙ୍କ ଭିଡ଼ିଓ କରି ମଜା ଉଠାଇଥିଲେ। ଏହା ଏକ ନିନ୍ଦନୀୟ ଘଟଣା। ଭଦ୍ର ସମାଜରେ ଏହା ଏକ କୁଶ୍ଚିତ ମାନସିକତା ବୋଲି ଶାଖାର ସଦସ୍ୟମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ରାଜ୍ୟ ସଭାପତିଙ୍କ ସହ ଉକ୍ତ ଶାଖାର ସଦସ୍ୟ ଉଷା ପାଢ଼ୀ, ନାରାୟଣ ବିଶ୍ୱାଳ, କୀର୍ତ୍ତିଚନ୍ଦ୍ର ଗାରାଡ଼ିଆ ଓ ମୋହନ ମହାରଣା ସାମିଲ ଥିଲେ।