Categories: ଜାତୀୟ

ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ

ଅହମ୍ମଦାବାଦ,୧୨।୭: ମାନହାନିର ଆଉ ଏକ ମାମଲାରେ ଅହମ୍ମଦାବାଦ କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଅହମ୍ମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ରାହୁଲଙ୍କ ବିରୋଧରେ ଅହମ୍ମଦାବାଦ ଡିଷ୍ଟ୍ରିକ୍ଟ କୋଅପରେଟିଭ ବ୍ୟାଙ୍କ(ଡିସିବି) ଅଧ୍ୟକ୍ଷ ଅଜୟ ପଟେଲ ମାନହାନି ମାମଲା ରୁଜୁ କରିଥିଲେ। ତେବେ ଶୁଣାଣି ସମୟରେ ମାଜିଷ୍ଟ୍ରେଟ ରାହୁଲଙ୍କୁ ନିଜ ଅପରାଧ ସ୍ବୀକାର କରୁଛ ବୋଲି ପ୍ରଶ୍ନ କରିଥିଲେ। ସେ ଏହାର ଉତ୍ତରରେ କିଛି କହି ନ ଥିଲେ। ଏହାପରେ ରାହୁଲ ଜାମିନ ପାଇଁ କରିଥିବା ଆବେଦନକୁ କୋର୍ଟ ସ୍ବୀକାର କରିଥିଲେ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଓ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଅହମ୍ମଦାବାଦ କୋଅପରେଟିଭ ବ୍ୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ୨୦୧୬ ନଭେମ୍ବର ୮ ବିମୁଦ୍ରୀକରଣ ଘୋଷଣା ହେବା ପୂର୍ବରୁ ଉକ୍ତ ବ୍ୟାଙ୍କ ୭୪୫.୫୯ କୋଟି ଟଙ୍କାର ଅଦଳ ବଦଳ କରିଥିବା ସେ କହିଥିଲେ। ଏହି ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ।

Share