ନୂଆଦିଲ୍ଲୀ,୨୩-୭: ବମ୍ବେ ହାଇକୋର୍ଟ ସୋମବାର ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା, ବର୍ତ୍ତମାନର ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେଖରନ ଏବଂ ଅନ୍ୟ ୮ଜଣଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିଦେଇଛନ୍ତି। ମୁମ୍ବାଇର ମାଜିଷ୍ଟ୍ରେଟ ଅଦାଲତ ଗତବର୍ଷ ଡିସେମ୍ବରରେ ନୁସ୍ଲୀ ଓ୍ବାଡିଆଙ୍କ ଦ୍ୱାରା ଦାୟର ଏହି ମାମଲାରେ ଟାଟା ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲେ। ଟାଟା ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳରୁ ବିଦା ହେବା ପରେ ଓ୍ବାଡିଆଙ୍କ ପକ୍ଷରୁ ୨୦୧୬ରେ ଏହି ମାମଲା ଦାଏର କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଟାଟା ସନ୍ସ ଓ ରତନ ଟାଟାଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ମାମଲା ଦାଏର କରି ସ୍ଥାନୀୟ କୋର୍ଟରେ ଆଗତ ମାମଲାକୁ ଖାରଜ କରିଦେବାକୁ ଆବେଦନ କରିଥିଲେ।