ମାନିଲେନି କଟକଣା: ମାଲକାନଗିରି ଜିଲାରେ ପଶିଲେ ବାଲେଶ୍ୱର ଯୁବକ

କୋରୁକୋଣ୍ଡା,୩୦ା୪(ଡି.ଏନ.ଏ.)- ସାରା ଦେଶରେ ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ାକଡ଼ି କରି ଯାଞ୍ଚ କରାଯାଉଛି। ତଥାପି ଲେକେ ବିନା ପାସ୍‌ରେ ଗୋଟିଏ ଜିଲାରୁ ଅନ୍ୟ ଜିଲାରେ ପ୍ରବେଶ କରୁଛନ୍ତି। ବୁଧବାର ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସି ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବିନା ପାସ୍‌ରେ ଜଣେ ଯୁବକ ସୁଦୂର ବାଲେଶରରୁ ଆସି ମାଲକାନଗିରି ଜିଲା ବାଲିମେଳାରେ ପହଞ୍ଚତ୍ଛନ୍ତି। ଖବର ପାଇ ସ୍ଥାନୀୟ ପ୍ରଶାସନ ତାଙ୍କୁ ଆଣି ସଙ୍ଗରୋଧରେ ରଖିଛି। ଏହି ଯୁବକ ଜଣକ ବାଲିମେଳା ଏନ୍‌ଏସି ଅଧୀନ ୭ ନମ୍ବର ୱାର୍ଡର ଜଣେ ଶିକ୍ଷକଙ୍କ ଜ୍ୱାଇଁ ବୋଲି ଜଣାପଡ଼ିଛି। ଲକ୍‌ଡାଉନ ଘୋଷଣା ପୂର୍ବରୁ ସେ ନାଇଜେରିଆରୁ ନିଜ ଘର ବାଲେଶ୍ୱର ଫେରିଥିଲେ। ତେବେ ଲକ୍‌ଡାଉନକୁ ଖାତିର୍‌ ନ କରି ସେ ଏବେ ଶ୍ୱଶୁର ଘର ମାଲକାନଗିରି ଜିଲାକୁ ଆସିଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏହି ବ୍ୟକ୍ତି ବିନା ପାସ୍‌ରେ ଏଭଳି ଆସିବା ଏବେ ଅଞ୍ଚଳ ତଥା ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ସେ ଶଶୁର ଘରକୁ ଯାଇ ସେଠାରେ ସମସ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ସଙ୍ଗରୋଧରେ ରଖିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।