ମାନିଲେନି ବ୍ୟବସ୍ଥାବଳୀ

ପୁରୀ ଅଫିସ,୧୮।୬: ସମସ୍ତେ ବ୍ୟବସ୍ଥାବଳୀକୁ ମାନିବେ। ବ୍ୟବସ୍ଥାବଳୀ ଊର୍ଦ୍ଧ୍ୱକୁ ଯାଇ କେହି କିଛି କରିବେ ନାହିଁ। ଦେଶ ବିଦେଶର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେମାନଙ୍କର ଦର୍ଶନରେ ଯେପରି କୌଣସି ପ୍ରକାର ବାଧା ନ ଉପୁଜେ ଏଥିପ୍ରତି ସମସ୍ତେ ଧ୍ୟାନ ଦେବେ। ବ୍ୟବସ୍ଥାବଳୀକୁ ଯିଏ ଅବମାନନା କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ନାନଯାତ୍ରା ପୂର୍ବରୁ ଏମିତି ନୀତି ନିୟମ ଏବଂ କଟକଣାର ପାଠ ପଢାଇଥିଲା ଶ୍ରୀମନ୍ଦିର ପ୍ରଶାସନ। ହେଲେ ଠିକଣା ବେଳକୁ କିଛି ସେବାୟତଙ୍କ କ୍ଷେତ୍ରରେ ଏହା ଫେଲ୍‌ ମାରିଛି। ସେମାନେ ନିଜ ଆଚରଣରେ ସୁଧାର ଆଣି ପାରି ନ ଥିବା ଦେଖିବାକୁ ମିଳିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଠିଆ ହେବାଠାରୁ ଆରମ୍ଭ କରି ଭକ୍ତଙ୍କୁ ତୁଳସୀ ବାଣ୍ଟି ପଇସା ଆଦାୟ କରିଛନ୍ତି। ବାରମ୍ବାର ଡାକବାଜି ଯନ୍ତ୍ର ଯୋଗେ ଶ୍ରୀବିଗ୍ରହଙ୍କୁ ଆଡ଼ କରି ଠିଆ ନ ହେବା ପାଇଁ କୁହାଯାଇଥିଲା। ହେଲେ ଅଳ୍ପ କେତେଜଣ ସେବାୟତ ବ୍ୟବସ୍ଥାବଳୀକୁ ଭୁଲିଯାଇଥିବା ଭଳି ଜଣାପଡୁଥିଲା। କିନ୍ତୁ ଗତବର୍ଷ ତୁଳନାରେ ଏଥର ସ୍ନାନମଣ୍ଡପ ଅଧିକ ଶୃଙ୍ଖଳିତ ରହିଥିଲା।
ଏଥର ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ବିଗତବର୍ଷ ଭଳି ଏଥର ମଧ୍ୟ ଠାକୁରଙ୍କ ଆଗରେ ଠିଆ ହୋଇଥିଲେ କେତେଜଣ ସେବକ। ସେମାନଙ୍କ ମଧ୍ୟରୁ କେହି ଦାରୁବିଗ୍ରହଙ୍କ ସମ୍ମୁଖରେ ବସି ରହିଥିଲେ। ଫଳରେ ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଥିଲା। ଦାୟିତ୍ୱରେ ଥିବା ଅଧିକାରୀ କହିବା ପରେ ସମ୍ପୃକ୍ତ ସେବକମାନେ ଠାକୁରଙ୍କ ଆଗରୁ ହଟି ଯାଉଥିବାବେଳେ ପୁଣି ଆସି ଠିଆ ହେଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କେତେଜଣ ସେବାୟତ ଏଥର ସଚେତନ ଥିବା ଭଳି ଜଣାପଡୁଥିଲା। ଯେଉଁମାନେ ଠାକୁରଙ୍କ ଆଗରେ ଠିଆହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରୁଥିଲେ ସେମାନଙ୍କୁ ବାରଣ କରୁଥିଲେ। ଆଉ କେତେଜଣ ମଧ୍ୟ ଭକ୍ତଙ୍କ ଦର୍ଶନ ବାଟରେ ଭିଡ଼ର କାରଣ ସାଜିଥିଲେ। ଧାଡ଼ିରେ ଯାଉଥିବା ଭକ୍ତଙ୍କୁ ଠାକୁରଙ୍କ ତୁଳସୀ ଓ ଫୁଲ ଦେଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହେଉଥିଲା। କେହି କେହି ଏହି ଫୁଲ ଓ ତୁଳସୀ ନେବାକୁ ଅପେକ୍ଷା କରି ଛିଡା ହେଉଥିବାରୁ ପୋଲିସକୁ ନାକେଦମ୍‌ ହେବାକୁ ପଡୁଥିଲା। ଏହି ସେବାୟତଙ୍କ ମଧ୍ୟରୁ କେତେଜଣ ତୁଳସୀ ବାଣ୍ଟି ଟଙ୍କା ଆଦାୟ କରିବାକୁ ପଛାଇ ନ ଥିଲେ। ବ୍ୟବସ୍ଥାବଳୀରେ ଉଲ୍ଲେଖ ହୋଇଛି ଯେ, ର଼୍ୟାମ୍ପରେ ଭକ୍ତମାନେ ଦର୍ଶନ କରୁଥିବା ସମୟରେ ପଇସା, ଫୁଲ କେହି ସ୍ନାନମଣ୍ଡପ ଉପରକୁ ଫିଙ୍ଗିବେ ନାହିଁ। ସେହିପରି ଯେଉଁ ସେବକ ସ୍ନାନମଣ୍ଡପ ବାଡ଼ ପାର୍ଶ୍ୱରେ ଠିଆହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରୁଛନ୍ତି କିମ୍ବା ତୁଳସୀ ଇତ୍ୟାଦି ବାଣ୍ଟୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରହିବେ। ଯେଉଁ ସେବକ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share