ମାନୁନାହାନ୍ତି ଲକ୍‌ଡାଉନ୍‌ କଟକଣା: ୧୭ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡା ଅଫିସ,୨୭ା୩- କରୋନା ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ କୌଣସି ଜରୁରୀ କାମ ନ ଥାଇ ବାହାରକୁ ବାହାରିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଥିବା ଦେଖାଯାଉଛି। ଏପରିସ୍ଥଳେ କଟକଣାକୁ ନମାନି ଲୋକେ ଘରୁ ବାହାରକୁ ବାହାରୁଛନ୍ତି। ତେବେ ଶୁକ୍ରବାର ବିନା କାରଣରେ ବାହାରେ ବୁଲୁଥିବା ଓ ଦୋକାନ ଖୋଲିଥିବା ଅଭିଯୋଗରେ ମୋଟ ୧୫ ଜଣଙ୍କୁ ଝାରସୁଗୁଡା ପୋଲିସଗିରଫ କରିଛି। ସେହିପରି ଚଢ଼ା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଝାରସୁଗୁଡା ଥାନା ଅଧିକାରିଣୀ ସାବିତ୍ରୀ ବଳଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ପୋଲିସ ପେଟ୍ରୋଲିଂ ବେଳେ ବିଭିନ୍ନ ସ୍ଥାନରେ ଦୋକାନ ଖୋଲିଥିବା ୧୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହାଛଡ଼ା କୌଣସି କାରଣ ନ ଥାଇ ସହରରେ ବୁଲାବୁଲି କରୁଥିବା ୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଆଳୁକୁ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨ ଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Share