Categories: ବାଣିଜ୍ୟ

ମାନୁଫାକ୍‌ଚରିଂ କ୍ଷେତ୍ରରେ ସୁଧାର ଆସୁଛି

ନୂଆଦିଲ୍ଲୀ,୧୧-୧ : ବଜେଟ ପୂର୍ବରୁ ଅର୍ଥବ୍ୟବସ୍ଥା ଏବଂ ସରକାରଙ୍କ ଲାଗି ଖୁସି ଖବର। ଦେଶର ମାନୁଫାକ୍‌ଚରିଂ କ୍ଷେତ୍ରରେ ସୁଧାର ଆସୁଥିବା ନଜରକୁ ଆସିଛି। ନଭେମ୍ବରରେ ଔଦ୍ୟୋଗିକ ଉତ୍ପାଦନ ୧.୮% ବଢିଥିବା ଶୁକ୍ରବାର ସରକାର ଜାରି କରିଥିବା ତଥ୍ୟରୁ ସାମ୍ନାକୁ ଆସିଛି। ଲଗାତର ଭାବେ ୩ ମାସ ମାନୁଫାକଚରିଂ କାର୍ଯ୍ୟକଳାପ କମିବା ପରେ ଏଥିରେ ଉନ୍ନତି ଆସିଥିବା କୁହାଯାଉଛି। ମାନୁଫାକଚରିଂ କ୍ଷେତ୍ର ଉତ୍ପାଦନକୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ରେ ମପାଯାଉଥିବା ବେଳେ ୨୦୧୮ ନଭେମ୍ବରରେ ଏହା ୦.୨% ରହିଥିଲା। ଏହା ୨୦୧୯ ଅକ୍ଟୋବରରେ ୩.୮% କମିଥିଲା। ଚଳିତ ବର୍ଷ ଅଗଷ୍ଟରୁ ଅକ୍ଟୋବର ଯାଏ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ଲଗାତର ଭାବେ ହ୍ରାସ ହେଉଥିବା ଦେଖାଯାଇଥିଲା।
ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ନଭେମ୍ବରରେ ମାନୁଫାକଚରିଂ କ୍ଷେତ୍ର ଅଭିବୃଦ୍ଧି ୨.୭% ରହିଛି। ୨୦୧୮ ନଭେମ୍ବରରେ ଏହା ୦.୭% ହ୍ରାସ ଘଟିଥିଲା। ଏହି ସମୟରେ ବିଜୁଳି ଉତ୍ପାଦନ ୫.୧% ବଢିଥିଲା। ଏହା ଚଳିତ ବର୍ଷ ନଭେମ୍ବରରେ ୫% ହ୍ରାସ ଘଟିଛି। ଆଲୋଚ୍ୟ ଅବଧିରେ ଗତ ବର୍ଷ ସମାନ ସମୟରେ ୨.୭% କମିଥିବା ବେଳେ ଏହା ଚଳିତ ବର୍ଷ ୧.୭% ନିମ୍ନରେ ରହିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ ନଭେମ୍ବରରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ୦.୬% ଅଭିବୃଦ୍ଧି ହାସଲ କରିଛି। ୨୦୧୮-୧୯ରେ ଏହା ସମାନ ସମୟରେ ୫% ଅଭିବୃଦ୍ଧି ହାସଲ କରିଥିଲା।

Share