ମାନୁ ନାହାନ୍ତି କଟକଣା: ପେଟ୍ରୋଲ ଟାଙ୍କିରେ ଭତ୍ତା ବଣ୍ଟନ

ପୁରୀ ଅଫିସ,୨୫ା୩: ମହାମାରୀ କରୋନାକୁ ନେଇ ଏବେ ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ପ୍ରାଣଘାତୀ ଭୂତାଣୁ ବିଭିନ୍ନ ଦେଶକୁ ଡେଇଁ ଚାଲିଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିିଛି। ଏହି ଭୂତାଣୁର କୌଣସି ଔଷଧ ବାହାରି ନ ଥିବାରୁ ଏହା କବଳରୁ ରକ୍ଷା ପାଇଁ ସଚେତନତା ଓ ସତର୍କତା ହିଁ ଏକମାତ୍ର ମାଧ୍ୟମ। ତେଣୁ ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପକ୍ଷରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଭତ୍ତା ବଣ୍ଟନ ଉପରେ କଟକଣା ଲଗାଇଛନ୍ତି। ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବେ ନାହିଁ କି ଗୋଟିଏ ଜାଗାରେ ସେମାନଙ୍କୁ ଏକତ୍ର କରି ଭତ୍ତା ବଣ୍ଟାଯିବ ନାହିଁ। ହିତାଧିକାରୀଙ୍କୁ ଘରକୁ ଯାଇ କର୍ମଚାରୀମାନେ ଭତ୍ତା ବାଣ୍ଟିବେ ବୋଲି ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇ ବୁଧବାର ପେଣ୍ଠକଟା ପେଟ୍ରୋଲ ଟାଙ୍କି ପରିସରରେ ଭତ୍ତା ବଣ୍ଟନ କରାଯାଇଛି।
କରୋନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ଜିଲାରେ ଲକ୍‌ ଡାଉନ ଘୋଷଣା କରାଯାଇଛି। ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ବଣ୍ଟନ ଲାଗି ନିଷ୍ପତ୍ତି ହୋଇଥିବାବେଳେ ବୁଧବାର ପେଣ୍ଠକଟା ପେଟ୍ରୋଲ ପମ୍ପରେ ହିତାଧିକାରୀ ଭତ୍ତା ନେବା ପାଇଁ ଧାଡ଼ିିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ କଡ଼ାକଡ଼ି ନିୟମ ସତ୍ତ୍ବେ କେତେକ ସରକାରୀ କର୍ମଚାରୀ ଆଇନକୁ ନାଲିଆଖି ଦେଖାଉଛନ୍ତି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ମଙ୍ଗଳବାର ପୁରୀ ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ସଦର ବିଡିଓ ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜିଲାପାଳଙ୍କୁ ଚିଠି ଲେଖି ସୁପାରିସ କରିଥିଲେ।

 

Share