Categories: ବାଣିଜ୍ୟ

ମାନ୍ଦାବସ୍ଥାକୁ ନେଇ ଟ୍ରମ୍ପ ଭୟଭୀତ;ଟିକସ ହ୍ରାସ, ଟାରିଫ ପ୍ରତ୍ୟାହାର ବିଚାର

ନୂଆଦିଲ୍ଲୀ,୨୧-୮: ଚାଇନା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ଯୋଗୁ ଆସନ୍ତା ୨ ବର୍ଷ ଭିତରେ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଗ୍ରାସ କରିବ ବୋଲି ବିଶ୍ୱର ଅର୍ଥନୀତିଜ୍ଞମାନେ ଚେତାବନି ଦେଇଛନ୍ତି। ଏହା ଜାଣିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭୟଭୀତ ହୋଇଛନ୍ତି। ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥାରୁ ଦୂରେଇ ରଖିବା ଲାଗି ଟ୍ରମ୍ପ ପ୍ରଶାସନ ଟିକସ ହ୍ରାସ କରିବା ସହ ଟାରିଫ୍‌ ପ୍ରତ୍ୟାହାର ପାଇଁ ସୁପାରିସ କରିପାରନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସ୍ଥାନୀୟ ଖବର କାଗଜ ‘ ଦ ଓ୍ବାଶିଂଟନ ପୋଷ୍ଟ’ ଏ ସମ୍ପର୍କରେ ସୂଚନା ଦେଇଛି। କର୍ମଚାରୀଙ୍କ ଆୟକର ଅସ୍ଥାୟୀ ଭାବେ ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ବକ୍ତବ୍ୟରେ କୁହାଯାଇଛି। ଏହାଦ୍ୱାରା ଲୋକଙ୍କ ହାତରେ ଅଧିକ ଅର୍ଥ ଆସିବ ବୋଲି ବିଚାର କରାଯାଉଛି। ‘ ଦ ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ଲାଗୁ କରିଥିବା ଶୁଳ୍କ(ଟାରିଫ୍‌)କୁ ପ୍ରତ୍ୟାହାର କରିବା ଲାଗି ବିଚାର କରୁଛନ୍ତି। ଏବେ ଆଲୋଚନା ପ୍ରାରମ୍ଭିକ ସ୍ତରରେ ରହିଛି ଏବଂ ଅଧିକାରୀମାନେ ଏ ସମ୍ପର୍କରେ ଟ୍ରମ୍ପଙ୍କୁ କୌଣସି ପ୍ରସ୍ତାବ ଦେଇନାହାନ୍ତି। ତେବେ ହ୍ବାଇଟ ହାଉସ ଏଭଳି ଖବରକୁ ବିବାଦୀୟ ବୋଲି ଦର୍ଶାଇଛି। ଆୟକର ହ୍ରାସ ନେଇ ବର୍ତ୍ତମାନ କିଛି ବିଚାର କରାଯାଉ ନାହିଁ ବୋଲି ଏହା ସ୍ପଷ୍ଟ କରିଛି। ସୂଚନାଥାଉ କି, ରାଷ୍ଟ୍ରପତି ଟ୍ରମ୍ପ ରବିବାର କହିଥିଲେ ଯେ, ସେ ସବୁ କିଛି ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଆମେରିକାରେ ମାନ୍ଦାବସ୍ଥା ଆସିବ ନାହିଁ ବୋଲି ସେ ମନେ କରୁଛନ୍ତି। ସୋମବାର ଅଧିକାଂଶ ଅର୍ଥନୀତିଜ୍ଞ ଏକ ବିବୃତି ଜାରି କରି ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ମାଡି ଆସୁଛି ଏବଂ ଏହା ଆସନ୍ତା ୧ରୁ ୨ ବର୍ଷ ଭିତରେ ଜଣାପଡିଯିବ।

Share