Categories: ବାଣିଜ୍ୟ

ମାନ୍ଦାବସ୍ଥା: କେରଳ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ

ତିରୁଭାନନ୍ତପୁରମ୍‌,୧୮ା୯: ନିକଟରେ କେରଳର ସର୍ବବୃହତ୍‌ ପର୍ବ ଓଣମ୍‌ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୁଏ ନୌକା ଚାଳନା ପ୍ରତିଯୋଗିତା। ଦେଶବିଦେଶରୁ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। କିନ୍ତୁ ଚଳିତବର୍ଷ କେରଳରେ ସବୁକିଛି ଫିକା ପଡିଯାଇଥିଲା। ଏଥର ନୌକାଗୁଡ଼ିକ ପାଣିରେ ନ ଦୌଡ଼ି ନଦୀ କଡ଼ରେ ଛିଡା ହୋଇଥିବାର ଦେଖାଯାଇଥିଲା। ଯେକୌଣସି ବୋଟ୍‌ ମାଲିକଙ୍କୁ ପଚାରିଲେ ସମସ୍ତଙ୍କର ଗୋଟିଏ ମତ ‘ବ୍ୟବସାୟ ବୁଡିଯାଉଛି। ଲାଭ କମୁଛି ଏବଂ ପ୍ରତ୍ୟେକେ ଋଣରେ ବୁଡ଼ିଗଲେଣି।’ ମାନ୍ଦାବସ୍ଥାର ମାଡ଼ କିଭଳି କେରଳ ପର୍ଯ୍ୟଟନ ଶିଳ୍ପରେ ବାଜିଛି, ତାହା ଏଥିରୁ ସ୍ପଷ୍ଟ।
ଜଣେ ବୋଟ୍‌ ମାଲିକ ସୁବିନଙ୍କ ମତରେ ଦୁଇବର୍ଷ ପୂର୍ବେ କେରଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ଯୋଗୁ ବୋଟ ଓ ପର୍ଯ୍ୟଟନ ଶିଳ୍ପ ସମ୍ପୂଣ୍ଣର୍ର୍ ଭାବେ ପ୍ରଭାବିତ ହୋଇଥିଲା। ମାସ ଭିତରେ ପୁଣିଥରେ ମୁଣ୍ଡଟେକି ଛିଡାହେଲା ବେଳକୁ ସରକାର ଦେଶରେ ଜିଏସ୍‌ଟି ଲାଗୁ କରିଦେଲେ। ଫଳରେ ଡଙ୍ଗା ତିଆରି ଖର୍ଚ୍ଚ ବଢ଼ିଗଲା। ମାନ୍ଦାବସ୍ଥା କାରଣରୁ ଏବେ ନୂଆ ଡଙ୍ଗା ତିଆରି କରିବା ଲାଗି କାହା ନିକଟରେ ଅର୍ଥ ନ ଥିବାବେଳେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଆୟ ନାହିଁ କହିଲେ ଚଳେ। ବୋଟ୍‌ ମାଲିକ ସୁବିନଙ୍କ ମତରେ ୫ ବର୍ଷ ପୂର୍ବେ ଗୋଟିଏ ହାଉସ ବୋଟ୍‌ ତିଆରି କରିବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ଏଥିପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଗୁଛି। ଘର, ଜମି ବନ୍ଧା ରଖି ସେ ଡଙ୍ଗା ତିଆରି କରିଛନ୍ତି। ପର୍ଯ୍ୟଟକ ଆସୁ ନ ଥିବାରୁ ଋଣ ପରିଶୋଧ ନେଇ ସେ ଚିନ୍ତିତ ଥିବା କହିଛନ୍ତି। ସେହିପରି ଆୟ କମିଯିବାରୁ ଏବେ ହାଉସ ବୋଟ୍‌ ମାଲିକ ଷ୍ଟାଫ୍‌ଙ୍କୁ ମାସିକ ଦରମାରେ ନିଯୁକ୍ତି ଦେଇପାରୁନାହାନ୍ତି। ୧୦ବର୍ଷ ପୂର୍ବେ ହାଉସବୋଟ୍‌ରେ କାମ କରୁଥିବା ଅନିସ୍‌ ମାସକୁ ୨୦ ହଜାର ଟଙ୍କା ଦରମା ପାଉଥିଲେ। ଏବେ ତାଙ୍କୁ ଦୈନିକ ମଜୁରି (୭୦୦ ଟଙ୍କା)ରେ କାମ କରିବାକୁ ପଡ଼ୁଛି। ପୂର୍ବେ ଗୋଟିଏ ହାଉସ ବୋଟ୍‌ ନଦୀରେ ୨୨ଥର ଚକ୍କର ମାରୁଥିଲା। ଏବେ ମାସକୁ ୩/୪ଥର ଚକ୍କର ମାରିବା କଷ୍ଟକର ହୋଇପଡିଛି। ଅନିସ୍‌ଙ୍କ କହିବାନୁଯାୟୀ, ଗତ ୫ ଦିନ ହେବ ତାଙ୍କ ନିକଟରେ କୌଣସି କାମ ନାହିଁ। ଋଣ ବୋଝ ଥିବାରୁ ବାଧ୍ୟ ହୋଇ ସେ ତାଙ୍କ ସ୍ତ୍ରୀଙ୍କ ସୁନା ଗହଣା ବିକ୍ରି କରିଛନ୍ତି। ଇଂଲିଶ୍‌ ମିଡିୟମରେ ପଢ଼ୁଥିବା ପିଲାଙ୍କୁ ଏବେ ସେ ସରକାରୀ ସ୍କୁଲ୍‌ରେ ପଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଅନିସ୍‌ କହିଛନ୍ତି।

Share