Categories: ବାଣିଜ୍ୟ

ମାନ୍ଦାବସ୍ଥା ଦୂରେଇବାକୁ ସୀତାରାମନ୍‌ଙ୍କ ପ୍ରୟାସ;କର୍ପୋରେଟ ଟିକସ ହ୍ରାସ ଘୋଷଣା

ପାନାଜୀ,୨୧-୯: ଦେଶ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତିକରୁଛି। ଏହାକୁ ଦୂରେଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପୂର୍ବରୁ ୩ ଥର ବିଭିନ୍ନ କ୍ଷେତ୍ର ଲାଗି ପ୍ରୋତ୍ସାହନ ଘୋଷଣା କରିସାରିଛନ୍ତି। ଏଠାରେ ଜିଏସ୍‌ଟି କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ପୂର୍ବରୁ ସମସ୍ତଙ୍କୁ ଚମକାଇ ଦେଇ ସେ କର୍ପୋରେଟ ଜଗତ ପାଇଁ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏଣିକି କମ୍ପାନୀଗୁଡିକ ୨୫.୧୭% ଦେବେ ବୋଲି ସେ କହିଛନ୍ତି। ସେହିପରି ସେ ମିନିମମ୍‌ ଅଲ୍ଟରନେଟ ଟିକସ, କ୍ୟାପିଟାଲ ଗେନ୍ସ ଟିକସ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ସେ ନୂଆକରି ଗଢ଼ି ଉଠିବାକୁ ଥିବା ମାନୁଫାକ୍‌୍‌ଚରିଂ କମ୍ପାନୀ ପାଇଁ ମଧ୍ୟ ଟିକସ ହ୍ରାସ କରାଯିବ ବୋଲି କହିଛନ୍ତି।
ଶୁକ୍ରବାର ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ଘରୋଇ କମ୍ପାନୀଗୁଡ଼ିକ କର୍ପୋରେଟ ଟିକସ ବାବଦରେ ୩୦% ଟିକସ ଦେଉଥିବା ବେଳେ ଏହାକୁ ହ୍ରାସ କରାଯାଇଛି। ସେମାନେ ଅନ୍ୟକୌଣସି ଟିକସ ଛାଡ଼ ନେଉ ନଥିଲେ ୨୨% ଟିକସ ଆଦାୟ କରାଯିବ। ତେବେ ସରଚାର୍ଜ ଓ ସେସ୍‌ ଆଦିକୁ ମିଶାଇଲେ ଏହି ଟିକସ ପରିମାଣ ୨୫.୧୭% ହେବ। ଏହା ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶ ସହ ସମାନ ହୋଇଛି। ଫଳରେ ଭାରତୀୟ କମ୍ପାନୀଗୁଡ଼ିକ ବିଶ୍ୱ ବଜାରରେ ଚାଇନା, ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ସେହିପରି ଅକ୍ଟୋବର ପହିଲା ପରେ ପ୍ରତିଷ୍ଠିତ ଘରୋଇ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଠାରୁ ଏଣିକି ୧୫% ଟିକସ ଆଦାୟ କରାଯିବ। ସରଚାର୍ଜ ଓ ସେସ୍‌ ମିଶାଇଲେ ଏହା ୧୭.୦୧% ହେବ। ପୂର୍ବରୁ ସେମାନଙ୍କ ଠାରୁ ୨୫% ଟିକସ ଆଦାୟ କରାଯାଉଥିଲା। ସୀତାରାମନ୍‌ କହିଛନ୍ତି ଯେ, ଷ୍ଟକ୍‌ ବଜାରରେ ନିବେଶ ବୃଦ୍ଧି ଉଦ୍ଦେଶ୍ୟରେ ସରକାର କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଜୁଲାଇ ୫ ପୂର୍ବରୁ ବାଏବ୍ୟାକ କରିବାକୁ ଘୋଷଣା କରିଥିବା କମ୍ପାନୀଙ୍କ ଠାରୁ ସରଚାର୍ଜ ଆଦାୟ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିଭଳି ସିଏସ୍‌ଆର୍‌ ବାବଦରେ ଖର୍ଚ୍ଚ ହେଉଥିବା ୨% ଅର୍ଥରାଶି ପରିଧିକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ଘୋଷଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଓ ଉଦ୍ୟୋଗ ଜଗତ ସ୍ବାଗତ କରିଛନ୍ତି।

Share