Categories: ବାଣିଜ୍ୟ

ମାନ୍ଦାବସ୍ଥା ଦୂର ପାଇଁ ବିଭିନ୍ନ କ୍ଷେତ୍ରକୁ ଫୋକସ୍‌: ସୀତାରାମନ୍‌

ନୂଆଦିଲ୍ଲୀ,୧୧-୧୦: ଦେଶରେ ଲାଗି ରହିଥିବା ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରକୁ ନଜରରେ ରଖି ସମାଧାନ ପ୍ରଦାନ ବ୍ୟବସ୍ଥା କରାଯାଉଥିବା ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଅର୍ଥନୈତିକ ମାନ୍ଦାବସ୍ଥାରେ ଦେଶ ଛନ୍ଦି ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସରକାର ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଏହା ଦ୍ୱାରା ରାଜକୋଷକୁ ବୃହତ୍ତ ପରିମାଣର ରାଜସ୍ବ କ୍ଷତି ହେଉଥିଲେ ମଧ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହାବାଦ ରପ୍ତାନିରେ ଉନ୍ନତୀକରଣ, ଋଣ ପ୍ରଦାନ ବୃଦ୍ଧି, ବ୍ୟାଙ୍କ ପୁଞ୍ଜୀକରଣ, ଭେଣ୍ଡରଙ୍କ ଲାଗି ଦେୟ ଶୀଘ୍ର ପ୍ରଦାନ ଭଳି କାର୍ଯ୍ୟକୁ ସରକାର ପ୍ରାଥମିକତା ସହ କରିଥିବା ସୀତାରାମନ ସ୍ପଷ୍ଟ କରିଛନ୍ତି। ବିଭିନ୍ନ କ୍ଷେତ୍ରର ଆବଶ୍ୟକତାକୁ ବିଚାର କରି ସରକାର ସହାୟତା କରିଥିବା ସେ ମତ ଦେଇଛନ୍ତି।
ସେହିଭଳି ସୀତାରାମନ୍‌ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କ ଜମାକାରୀଙ୍କ ସହ ଆଲୋଚନା କରିଛନ୍ତି। ଠକେଇରେ କ୍ଷତିଗ୍ରସ୍ତ ପିଏମ୍‌ସିର ପରିଚାଳନା ଦିଗରେ ରିଜର୍ଭ ବ୍ୟାଙ୍କ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଘଟଣା ଉପରେ ନଜର ରଖାଯାଇଥିବା ସେ ଜମାକାରୀଙ୍କୁ କହିଛନ୍ତି। ଜମାକାରୀ ଗୁରୁବାର ଭାଜପାର ମୁମ୍ବାଇ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିଥିଲେ। ଏହି ଘଟଣା ଉପରେ ଗଣମାଧ୍ୟମକୁ ସୂଚନା ଦେଇ ସୀତାରାମନ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ପ୍ରତ୍ୟକ୍ଷ କିଛି କରିପାରିବ ନାହିଁ। କାରଣ କୋଅପରେଟିଭ ବ୍ୟାଙ୍କଗୁଡିକର ନିୟାମକ ଭାବେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟ କରୁଛି। ସେ ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ବର୍ତ୍ତମାନ ବିଚାର କରାଯାଉଛି। ଅପରପକ୍ଷରେ ପିଏମ୍‌ସି ଘଟଣା ଉପରେ ବିଚାର କରିବା ଲାଗି ଗ୍ରାମୀଣ ବିକାଶ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ମଧ୍ୟ କୁହାଯାଇଛି। ଏହାବାଦ କେନ୍ଦ୍ରୀୟ ବ୍ୟାଙ୍କର ପ୍ରତିନିଧିମାନେ ମଧ୍ୟ ଏଦିଗରେ କାର୍ଯ୍ୟ କରୁଥିବା ସୀତାରାମନ୍‌ ପ୍ରକାଶ କରିଛନ୍ତି।

Share