Categories: ବାଣିଜ୍ୟ

ମାନ୍ଦାବସ୍ଥା ଦୂର ଲାଗି ଉପାୟ ଦେଲା ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୩-୯: ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ଦୂରୀକରଣ ଲାଗି ଦେଶର ଶିଳ୍ପ ଜଗତ ପକ୍ଷରୁ ବିଭିନ୍ନ ଉପାୟ ଦିଆଯାଇଛି। ଇଣ୍ଡିଆ ଟୁଡେ କନକ୍ଲେଭରେ ଦେଶର ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିତ୍ୟ ମାନେ ଯୋଗ ଦେଇ ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ବିଭିନ୍ନ କୌଶଳ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି। ସରକାର ଶୁକ୍ରବାର କର୍ପୋରେଟ ଟିକସ କ୍ଷେତ୍ରରେ ନେଇ ପଦକ୍ଷେପକୁ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ ତଥା ପ୍ରଶଂସା କରାଯାଇଛି। ଘରୋଇ କମ୍ପାନୀଗୁଡିକ ଲାଗି କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତି ଦ୍ୱାରା ଦେଶର ପୁଞ୍ଜି ବଜାରରେ ଉତ୍ସାହ ଫେରିଛି। ସରକାରଙ୍କ ଏହି ପଦକ୍ଷେପ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏଠାରେ କୁହାଯାଇଛି।
ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରି ଗୋଦରେଜ ଗ୍ରୁପର ଅଧ୍ୟକ୍ଷ ଆଦି ଗୋଦରେଜ କହିଛନ୍ତି, ସରକାରଙ୍କ ଉକ୍ତ ଘୋଷଣା ଅର୍ଥନୈତିକ ଧାରାରେ ପରିବର୍ତ୍ତନ ଆଣିବା ସହ ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ଗଢି ତୋଳିବାରେ କାର୍ଯ୍ୟ କରିବ। ଏହା ଦ୍ୱାରା ମାନ୍ଦାମାସ୍ଥାରୁ ବାହାରିବାକୁ ଅର୍ଥ ବ୍ୟବସ୍ଥାକୁ ବଳ ମିଳବ। ଏପରି ସ୍ଥିତିରେ ଚାହିଦା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଗୋଦରେଜ ମତ ରଖିଛନ୍ତି। ଟିକସ ହ୍ରାସ ହେଲେ ସେହି ଅନୁସାରେ ସାମଗ୍ରୀର ମୂଲ୍ୟ କମିବ ବୋଲି କହି ହେବ ନାହିଁ। ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ନେଇ ବିଭିନ୍ନ ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ମାରୁତି ସୁଜୁକି ଅଧ୍ୟକ୍ଷ ଆର୍‌.ସି.ଭାର୍ଗଭ କହିଛନ୍ତି, ସରକାରଙ୍କ ଟିକସ ହ୍ରାସ ନିଷ୍ପତ୍ତି ଏକ ବଡ ପଦକ୍ଷେପ। ମାତ୍ର ଚାହିଦା ଦିଗକୁ ଧ୍ୟାନରେ ରଖିବାକୁ ହେବ। ମାନୁଫାକଚରିଂ କ୍ଷେତ୍ରରେ ପ୍ରଦର୍ଶନ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେବଳ ଯୋଗାଣ କ୍ଷେତ୍ରରେ ବିଚାର ନ କରି ଚାହିଦା ଉପରେ ମଧ୍ୟ ଧ୍ୟାନ ରଖିବା ଉପରେ ହିରାନନ୍ଦିନୀ ଗ୍ରୁପ ଅଧ୍ୟକ୍ଷ ନିରଞ୍ଜନ ହୀରାନନ୍ଦିନୀ କହିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ସରକାର ଦେଶକୁ ଟିକସ କ୍ଷେତ୍ରରେ ଏକ ଉନ୍ନତ ସ୍ଥାନ ଭାବେ ପରିବର୍ତ୍ତନ କରିବାକୁ ଚାହୁଁଥିବା ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କାର୍ଯ୍ୟକ୍ରମରେ ମତ ଦେଇଛନ୍ତି। ବର୍ତ୍ତମାନ କାର ନିର୍ମାତା ମାନେ ସେମାନଙ୍କ ମୂଲ୍ୟ ହ୍ରାସ କରିବାର ସମୟ ଆସିଛି ବୋଲି ସେ କମ୍ପାନୀଗୁଡିକୁ ଆହ୍ବାନ ଦେଇଛନ୍ତି। ଏହା ହେଲେ ଅଟୋ ସେକ୍ଟରେ ଚାହିଦା ପୁଣି ଫେରିବ। ଏହା ବାଦ ଟିକସ ଅଧିକାରୀମାନେ ଆକ୍ରୋଶମୂଳକ ଭାବେ ବାଣିଜ୍ୟ ଗୋଷ୍ଠୀଙ୍କୁ ହଇରାଣ କରୁଥିବାରୁ ଏହାରେ କ୍ଷୋଭ ପ୍ରକାଶ ପାଇଛି।

Share