Categories: ବାଣିଜ୍ୟ

ମାନ୍ଦାବସ୍ଥା ମନ୍ତବ୍ୟକୁ ନେଇ ଟ୍ରୋଲ୍‌ ହେଲେ ରବିଶଙ୍କର

ନୂଆଦିଲ୍ଲୀ,୧୪-୧୦: ଅର୍ଥନୀତିରେ ମାନ୍ଦାବସ୍ଥା ନ ଥିବାରୁ ଗୋଟିଏ ଦିନରେ ରିଲିଜ ହୋଇଥିବା ୩ ସିନେମା ୧୨୦ କୋଟି ଟଙ୍କା ବ୍ୟବସାୟ କରିଥିବା କହି ସୋସିଆଲ ମିଡିଆରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର ଟ୍ରୋଲ ହୋଇଛନ୍ତି। ଅର୍ଥନୀତି ନେଇ ଦେଇଥିବା ଏଭଳି ମନ୍ତବ୍ୟ ଲାଗି ବିଭିନ୍ନ ମହଲରୁ ସମାଲୋଚନା ଶିକାର ହେବା ପରେ ସେ ତାଙ୍କ ବୟାନକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାବାଦ ଏନ୍‌ଏସ୍‌ଏସ୍‌ଓର ନିଯୁକ୍ତି ଡାଟା ଏବଂ ଆଇଏମ୍‌ଏଫ୍‌ର ମାନ୍ଦାବସ୍ଥା ରିପୋର୍ଟକୁ ସେ ଖଣ୍ଡନ କରିବା ସହ ଅର୍ଥ ବ୍ୟବସ୍ଥାରେ କୌଣସି ଅସୁବିଧା ନ ଥିବା କହିଥିଲେ। ଯାହାକୁ ନେଇ ଜନସାଧାରଣରେ ଗଭୀର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତାଙ୍କୁ ଲୋକମାନେ ଅନ୍‌ଲାଇନରେ ସମାଲୋଚନା କରିଛନ୍ତି।
ଟୁଇଟରେ ସେ କହିଛନ୍ତି , ଜଣେ ସମ୍ବେଦନଶୀଳ ବ୍ୟକ୍ତି ଭାବେ ଏଭଳି ମନ୍ତବ୍ୟକୁ ସେ ପ୍ରତ୍ୟାହର କରୁଛନ୍ତି। ତାଙ୍କ କଥାକୁ ଭିନ୍ନ ଢଙ୍ଗରେ ଏବଂ ଅଲଗା ଅର୍ଥ ବାହାର କରାଯାଇ ଏଭଳି କରାଯାଇଥିବାରୁ ଏହାକୁ ନେଇ ଦୁଃଖିତ। ଗୋଟିଏ ଦିନରେ ୩ ସିନେମା ୧୨୦ କୋଟି ବ୍ୟବସାୟ କରିବା ତଥ୍ୟ ସମ୍ପୂର୍ଣ୍ଣ ଠିକ୍‌। ଦେଶର ସିନେମା ରାଜଧାନୀ ମୁମ୍ବାଇରେ ରହିଥିବାରୁ ଏଭଳି ଏକ ମନ୍ତବ୍ୟ ପ୍ରଦାନ କରିଥିବା ସେ କହିଛନ୍ତି। ସିନେମା ଶିଳ୍ପକୁ ନେଇ ଗର୍ବିତ । ଏହା ଅନେକ ଲୋକଙ୍କୁ ନିଯୁକ୍ତି ଦେବା ସହ ଦେଶର ଅର୍ଥ ବ୍ୟବସ୍ଥାକୁ ଯୋଗଦାନ ରଖୁଛି। ଏହାବାଦ ସରକାର ସାଧାରଣ ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖୁଥିବା ସେ କହିଛନ୍ତି। ସୋସିଆଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟର ସମ୍ପୂର୍ଣ୍ଣ ଭିଡିଓ ରହିଛି। ମାତ୍ର ଏଥିରୁ କିଛି ଭାଗ କାଟି ଏହାକୁ ଭୂଲ ଅର୍ଥରେ ଦର୍ଶାଯାଇଥିବାରୁ ଜଣେ ସମ୍ବେଦନଶୀଳ ବ୍ୟକ୍ତି ଭାବେ ଅତ୍ୟନ୍ତ ଦୁଃଖିତ ବୋଲି ସେ ମତ ରଖିଛନ୍ତି।

Share