Categories: ବାଣିଜ୍ୟ

ମାନ୍ଦାବସ୍ଥା ମାଡ: ସୁଜୁକି ମୋଟର କ୍ଷମତା ବିସ୍ତାରକୁ ରୋକିଲା

ନୂଆଦିଲ୍ଲୀ,୯-୯: ମାନ୍ଦାବସ୍ଥା କାରଣରୁ ଦେଶରେ ଦୁଇଚକିଆ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇଚାଲିଛି। ଏଥିସହ ୨୦୨୦ ଏପ୍ରିଲରୁ ଦେଶରେ ଭାରତ ଷ୍ଟେଜ୍‌-୬କୁ କାର୍ଯ୍ୟକାରୀ କରାଯିବ। ଏହି କାରଣରୁ ସୁଜୁକି ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନିଜର କ୍ଷମତା ବିସ୍ତାର ଲାଗି ପ୍ରସ୍ତାବିତ ନିବେଶକୁ ବର୍ତ୍ତମାନ ପାଇଁ ଟାଳିଦେଇଛି। କମ୍ପାନୀ ଉପାଧ୍ୟକ୍ଷ(ବିକ୍ରି ଏବଂ ବିପଣନ) ଦେବାଶିଷ ହାଣ୍ଡା କହିଛନ୍ତି ଯେ, କ୍ଷମତା ବିସ୍ତାର କରାଯିବାର ପ୍ରସ୍ତାବ ରହିଛି। ତେବେ ଏହାକୁ ତତ୍କାଳ କରାଯିବ ନାହିଁ। ନୂଆ ସୁବିଧାଯୁକ୍ତ କାରଖାନା ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି। ତେବେ ଦେଶ ବିଏସ୍‌-୪ରୁ ବିଏସ୍‌-୬କୁ ପରିବର୍ତ୍ତନକୁ କିଭଳି ଗ୍ରହଣ କରୁଛି, ତାହାକୁ ଦୃଷ୍ଟିରେ ରଖି ନିବେଶ କରାଯିବ। କାରଣ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ କମ୍ପାନୀ ଏହା ଉପରେ ନଜର ରଖିଛି। ସେ କହିଛନ୍ତି ଯେ, କମ୍ପାନୀର ଗୁରୁଗ୍ରାମଠାରେ ବାର୍ଷିକ ୧୦ ଲକ୍ଷ ଗାଡ଼ି ନିର୍ମାଣ କରିପାରୁଥିବା ଏକ କାରଖାନା ରହିଛି। କମ୍ପାନୀ ଘରୋଇ ବଜାରରେ ୮ ଲକ୍ଷ ବିକ୍ରି କରିବା ଏବଂ ବିଦେଶକୁ ୧ ଲକ୍ଷ ଗାଡ଼ି ରପ୍ତାନି କରିବାର ଲକ୍ଷ୍ୟଧାର୍ଯ୍ୟ କରିଛି। କମ୍ପାନୀର ବିସ୍ତାର ନିଶ୍ଚିତ ହେବ। ମାନ୍ଦାବସ୍ଥା ଆସି ନଥିଲେ ବହୁ ଦିନ ପୂର୍ବରୁ ବିସ୍ତାର କାର୍ଯ୍ୟ ଆରମ୍ଭ ହୋଇଯାଇଥାନ୍ତା ବୋଲି ହାଣ୍ଡା କହିଛନ୍ତି। ତାଙ୍କ ମତରେ କମ୍ବଶନ ଏବଂ ଇଲେକ୍ଟ୍ରିକ ଗାଡ଼ି ଉପରେ ସରକାରଙ୍କ ସ୍ପଷ୍ଟୀକରଣ ସତ୍ତ୍ୱେ ଦୁଇ ଚକିଆ ଗାଡ଼ିର ସମ୍ପୂର୍ଣ୍ଣ ବୈଦ୍ୟୁତିକିକରଣ କିପରି ହେବ ତାହା ଦେଖିବାକୁ ହେବ। ତେବେ ଟାଇମଲାଇନ ଏବଂ ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ସରକାରଙ୍କ ପଦକ୍ଷେପ ଜାଣିବାକୁ ହେବ। ଅନେକ କିଛି ଏହି କାରଣ ଉପରେ ନିର୍ଭର କରିବ। କାରଖାନା ବିସ୍ତାର ପାଇଁ ଜମି ଦେଖା ନିବେଶ ସମ୍ପର୍କରେ ବିଚାର କରିଛି କି ବୋଲି ପ୍ରଶ୍ନ ହେବାରୁ ହାଣ୍ଡା କହିଛନ୍ତି ଯେ, ଏହା କେବଳ ଘରୋଇ ବଜାର ଉପରେ ନିର୍ଭରଶୀଳ ନୁହେଁ। ବରଂ କମ୍ପାନୀର ବିଶ୍ୱ ପରିଚାଳନ ଯୋଜନା ଉପରେ ନିର୍ଭରଶୀଳ।

Share