Categories: କନ୍ଧମାଳ

ମାନ୍ଦାବସ୍ଥା ସତ୍ତ୍ୱେ ନିୟନ୍ତ୍ରଣରେ ଦରଦାମ

ଫୁଲବାଣୀ ଅଫିସ, ୨୮ା୯-ଜିଲା ଭାଜପା ପକ୍ଷରୁ ଅର୍ଥନୀତି ମାନ୍ଦାବସ୍ଥା ଉପରେ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା ପ୍ରବକ୍ତା ଉର୍ମିଳା ମହାପାତ୍ର ଉପସ୍ଥିତ ରହି ଦେଶରେ ବର୍ତ୍ତମାନ ଅର୍ଥନୀତି ମାନ୍ଦାବସ୍ଥାରେ ଚାଲିଛି। ଏହାସତ୍ତ୍ୱେ ଦେଶରେ ଦରଦାମ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଭାରତର ଅର୍ଥନୀତିକୁ ଅଭିବୃଦ୍ଧି କରି ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଅର୍ଥନୀତିକୁ ଗତିଶୀଳ କରିବାକୁ ବଡ ଟିକସ ରିହାତି ଘୋଷଣା କରାଯାଇଛି। ଏହା ଫଳରେ ଦେଶରେ ୨୦ ହଜାର କୋଟି ଟଙ୍କାର ଗରିବ, ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତଙ୍କ ପାଇଁ ଗୃହଋଣ ଦେଶର ବଜାରକୁ ମଜବୁତ୍‌ କରିବ। ପରିବାରର ଦୈନନ୍ଦିନ ଆବଶ୍ୟକୀୟ ଦ୍ରବ୍ୟ ଡାଲି, ଚାଉଳ, ତେଲ ମୂଲ୍ୟ ସ୍ଥିର ରଖାଯାଇ ପାରିଛି। ଏସିଆ ମହାଦେଶରେ କମ୍ପାନୀମାନଙ୍କ ଉପରେ ସବୁଠାରୁ କମ୍‌ ଟିକସ ଲାଗୁ କରୁଥିବା ଦେଶ ଭାବେ ଭାରତ ଆଗକୁ ଆସିଛି। ସରକାର ରଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରଦାନ ନିମନ୍ତେ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ଛୋଟ ବ୍ୟବସାୟୀଙ୍କଠାରୁ କର୍ପୋରେଟ କମ୍ପାନୀ ପର୍ଯ୍ୟନ୍ତ କମ ସୁଧରେ ଋଣ ସୁବିଧା ପାଇ ପାରିବେ। ଯାହାଦ୍ୱାରା ଅନେକ ଶିଳ୍ପ ଗଢି ଉଠିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେଇ ପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲା ସଭାପତି ଲିଙ୍ଗରାଜ ଦଳବେହେରା, ରାଜ୍ୟନେତ୍ରୀ ପୂର୍ଣ୍ଣିମା ଦାସ, ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ, ଯୁବନେତା ଦେବନାରାୟଣ ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ଭଗବାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।