ବାଙ୍ଗାଲୋର,୨୯।୪: ଚଳିତ ବର୍ଷ ଦେଶର ଆଇଟି କମ୍ପାନୀଗୁଡ଼ିକରେ ନିଯୁକ୍ତି ଫିକା ପଡ଼ିପାରେ। ସେହିଭଳି ବରିଷ୍ଠ କର୍ମଚାରୀଙ୍କ ବେତନ ୨୦ରୁ ୨୫% ହ୍ରାସ ହୋଇ ପାରେ। ମହାମାରୀ ଯୋଗୁ କମ୍ପାନୀଗୁଡିକ ଏଭଳି ନିଷ୍ପତ୍ତି ନେବେ ବୋଲି ଆଇଟି ଶିଳ୍ପ ବିଶେଷଜ୍ଞ ଟି.ଭି.ମୋହନଦାସ ପାଇ ସୂଚନା ଦେଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀ ଇନ୍ଫୋସିସ୍ ଲିମିଟେଡ୍ରେ ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ପାଇ କହିଛନ୍ତି ଯେ, ଚଳିତ ବର୍ଷ ଆଇଟି ଶିଳ୍ପରେ ଯେଭଳି ଘଟଣା ସାମ୍ନାକୁ ଆସିଲା ତାହା କେବେ ଦେଖାଯାଇ ନ ଥିଲା। ଶିଳ୍ପର ୯୦% କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। କ୍ଲାଏଣ୍ଟଙ୍କଠାରୁ ଅନୁମତି ନେଇ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମକରିବା ସୁବିଧା ଦେଇଛନ୍ତି। ଘରେ ଆଇଟି ଭିତ୍ତିଭୂମି ମଧ୍ୟ ବିକଶିତ ହେବା ସହ କାମ ଚାଲୁ ରହିଛି। ସ୍ଥିତି ଏବେ ଠିକ୍ ହୋଇ ନ ଥିବାରୁ କମ୍ପାନୀଗୁଡିକ ଆଗାମୀ ଦିନରେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖିବେ। ହୁଏତ କେତେଜଣ କର୍ମଚାରୀ କର୍ମକ୍ଷେତ୍ରକୁ ଫେରିପାରନ୍ତି। ଏଭଳି ସ୍ଥିତିରେ କମ୍ପାନୀଗୁଡିକ ନୂଆ ନିଯୁକ୍ତି କଥା ଚିନ୍ତା କରି ନ ପାରନ୍ତି ବୋଲି ପାଇ ମତ ରଖିଛନ୍ତି।