ମାପଚୁପ ହେଲା ମଙ୍ଗୁ ମଠ: ଉଚ୍ଛେଦ ଛଡ଼ାଇ ନେଇଛି ଖୁସି, ଫିକା ପଡ଼ିଲା ସୁନିଆ

ପୁରୀ ଅଫିସ, ୧୧-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ ଭଙ୍ଗାଯାଉଛି। ଇତିମଧ୍ୟରେ ୨ଟି ପୁରାତନ ମଠ ଲଙ୍ଗୁଳି ଏବଂ ବଡ଼ ଆଖଡା ମଠ ମାଟିରେ ମିଶିଥିବା ବେଳେ ଏମାର ମଠ ବି ଅଧା ଭଙ୍ଗାଯାଇଛି। ଆଗକୁ ଏକାଧିକ ମଠର ପାଳି ଥିବା ବେଳେ ମଙ୍ଗଳବାର ମଙ୍ଗୁ ମଠକୁ ମାପଚୁପ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠ ମାପଚୁପ ପରେ ପରବର୍ତ୍ତୀ ମଠ ଭାବେ ଏହାର ପାଳି ପଡିବା ନିଶ୍ଚିତ ହୋଇଛି। ସେହିପରି ସାନଛତା ମଠରୁ ଜିନିଷପତ୍ର ଖାଲି କରାଯାଉଥିବା ବେଳେ ରାଧାବଲ୍ଲଭ ମଠରେ ବି ମାପଚୁପ କରାଯାଇଛି। ଆଗକୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ ହେଲେ ଆହୁରି ୧୦ରୁ ଊର୍ଦ୍ଧ୍ୱ ମଠ ବଳି ପଡିବେ ବୋଲି କୁହାଯାଉଛି। ତେବେ ମଙ୍ଗଳବାର ପବିତ୍ର ସୁନିଆ ଥିଲେ ମଧ୍ୟ ମଠଗୁଡ଼ିକରେ ଏହାକୁ ନେଇ ଆଗଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଉଚ୍ଛେଦ ହିଁ ୭୫ ମିଟର ସୁରକ୍ଷିତ ଜୋନ ମଧ୍ୟରେ ଥିବା ମଠ ମହନ୍ତ ଏବଂ ଅନ୍ତେବାସୀଙ୍କ ଖୁସି ଛଡାଇ ନେଇଛି ବୋଲି କୁହାଯାଉଛି। ଫଳରେ ଏହିସବୁ ମଠଗୁଡ଼ିକରେ ସୁନିଆ ଫିକା ପଡିଥିଲା।
ମଙ୍ଗଳବାର କୌଣସି ନିର୍ମାଣ ଭଙ୍ଗା ଯାଇ ନ ଥିଲା। କିନ୍ତୁ ବଡ଼ ଆଖଡା ମଠର ଭଗ୍ନାବଶେଷ ବୁହାଯାଇ ସେହି ସ୍ଥାନକୁ ଖାଲି କରାଯାଇଥିଲା। ପରେ ମଙ୍ଗୁ ମଠ ମାପଚୁପ କରାଯାଇଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ଆଉ ତିନୋଟି ମଠକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଦିଆଯାଇଥିବା ସୂଚନା ମିଳିଛି। ତେବେ ମଙ୍ଗଳବାର ସୁନିଆକୁ ନେଇ ମଠଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ସୁନିଆ ଅବସରରେ ମଠର ଖମାର ଅଞ୍ଚଳରୁ ପ୍ରଜା (ଭାଗଚାଷୀ)ମାନେ ଆସିଥାନ୍ତି। ସେମାନେ ମହନ୍ତଙ୍କୁ ବିଭିନ୍ନ ପ୍ରକାର ଭେଟି ଚୁଡ଼ା, ଗୁଡ଼, ଚାଉଳ, କଞ୍ଚା କଦଳୀ, ଟଙ୍କା ପଇସା ଆଦି ଦେଇଥାନ୍ତି। ମଠରେ ସେମାନଙ୍କ ଲାଗି ଖାଇବା ପିଇବାର ବ୍ୟବସ୍ଥା କରାଯାଇଥାଏ। ବ୍ରାହ୍ମଣମାନେ ଆସି ପଇତା ଦେଇ ଆଶୀର୍ବାଦ କରିଥାନ୍ତି। ଏଥିସହ ମଠରେ ଇନ୍ଦ୍ର ପୂଜା ମଧ୍ୟ କରାଯାଏ। ହେଲେ ମଙ୍ଗଳବାର ୭୫ ମିଟର ପରିଧି ମଧ୍ୟରେ ଥିବା ବହୁ ମଠରେ ସୁନିଆ ଫିକା ପଡିଥିଲା। କେତେକ ମଠରେ ବିଧି ରକ୍ଷା କରାଯାଇଥିବା ବେଳେ ଆଉ କେତେକ ମଠରେ ସୁନିଆ ପାଳନ କରାଯାଇ ନ ଥିଲା।

Share