Categories: ଜାତୀୟ

ମା’ବାପାଙ୍କୁ ହଇରାଣ କଲେ ୬ ମାସ ଜେଲ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ମାତାପିତା କିମ୍ବା ବରିଷ୍ଠ ନାଗରିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ୬ ମାସ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ। ଏନେଇ ଲୋକ ସଭାରେ ବୁଧବାର ବିଲ୍‌ ଆଗତ ହୋଇଛି। ମାତାପିତା ଓ ବରିଷ୍ଠ ନାଗରିକ ଭରଣପୋଷଣ ଓ କଲ୍ୟାଣ (ସଂଶୋଧନ) ବିଲ୍‌, ୨୦୧୯କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥଓ୍ବରଚାନ୍ଦ ଗେହଲଟ ଗୃହରେ ଉପସ୍ଥାପନ କରିଥିଲେ। ବିଲ୍‌ ଅନୁଯାୟୀ ବରିଷ୍ଠ ନାଗରିକ ଭରଣପୋଷଣ ପାଇଁ ଦାବି କରିପାରିବେ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କେୟାର ହୋମ୍‌ ଓ ଅନ୍ୟ ଅନୁଷ୍ଠାନଗୁଡିକର ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ବିଲ୍‌ରେ ଦୁର୍ବ୍ୟବହାରର ସଂଜ୍ଞା ଉଭୟ ଶାରୀରିକ, ଶାବ୍ଦିକ, ଭାବାତ୍ମକ ନିର୍ଯାତନା ଏବଂ ଆର୍ଥତ୍କ ଶୋଷଣ ବୋଲି କୁହାଯାଇଛି। ସେହିପରି ପିଲା ଅର୍ଥ ମାତାପିତା ବା ବରିଷ୍ଠ ନାଗରିକଙ୍କ ଜନ୍ମିତ ଝିଅପୁଅ, ପୋଷ୍ୟ ସନ୍ତାନ କିମ୍ବା ସାବତ ସନ୍ତାନ, ବୋହୂ, ଜ୍ୱାଇଁ, ନାତିନାତୁଣୀ ଓ ନାବାଳକ ପିଲାଙ୍କ ଆଇନଗତ ଅଭିଭାବକଙ୍କୁ ବୁଝାଇବ। ନିର୍ଯାତନାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ଲାଗି ଟ୍ରିବ୍ୟୁନାଲ ଗଠନ ହେବ। ସେମାନେ ଭରଣପୋଷଣ ଓ ସହାୟତା ପାଇଁ ସେଠାରେ ଆବେଦନ କରିପାରିବେ। ୮୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ କ୍ଷେତ୍ରରେ ଅଭିଯୋଗର ସମାଧାନ ୬୦ ଦିନରେ ସମ୍ପୂର୍ଣ୍ଣ କରିବା ଲାଗି ବିଲ୍‌ରେ ବ୍ୟବସ୍ଥା ରହିଛି। କୌଣସି ଅସାଧାରଣ କାରଣ ପାଇଁ ଟ୍ରିବ୍ୟୁନାଲ ଚାହିଁଲେ ଏହି ସମୟସୀମା ମାତ୍ର ଥରେ ସର୍ବାଧିକ ୩୦ଦିନ ପାଇଁ ବଢ଼ାଇପାରିବେ।

Share