ମା’ବାପା ନ ଥିବାବେଳେ ନାତିଙ୍କୁ ଜେଜେମାଙ୍କ ନିର୍ମମ ମାଡ଼, ଭିଡିଓ ଭାଇରାଲ

ବସ୍ତା,୩।୮(ସ୍ବ.ପ୍ର.): ପିଲାଟିକୁ କେହି ବାଡ଼ାଇଲେ ସେ ଦୌଡ଼ି ଯାଇ ଜେଜେମା କୋଳରେ ପଶି ଯାଇଥାଏ। କିନ୍ତୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଖୋଦ୍‌ ଜେଜେମା ନିଜ ୬ ବର୍ଷର ନାତିଙ୍କୁ ନିର୍ମମ ଭାବେ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ମିଳିଥିବା ଖବର ଅନୁଯାୟୀ, ବୃନ୍ଦାବତୀ ଚଣ୍ଡ ନିଜ ୬ ବର୍ଷର ନାତି ଉପରେ କୌଣସି କାରଣ ବଶତଃ ରାଗିଯାଇ ତାକୁ ନିର୍ମମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ପିଲାଟିର ମା’ବାପା ମୁମ୍ବାଇର କୌଣସି ସ୍ଥାନରେ କାମ ପାଇଁ ଯାଇଥିବାବେଳେ ତାକୁ ଜେଜେମା ପାଖରେ ଛାଡ଼ିଯାଇଥିଲେ। ତେବେ କେଉଁ ଭୁଲ ପାଇଁ ଜେଜେମା ତାକୁ ଏପରି ମାରୁଛନ୍ତି ତାହା ଜଣାପଡ଼ିନାହିଁ।