ମାମଲା ରଫାଦଫା ପାଇଁ ନେଇଥିଲେ ଲାଞ୍ଚ: ଏଏସ୍‌ଆଇଙ୍କୁ ଜେଲ ଦଣ୍ଡ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା କେଗାଁ ଥାନାରେ ୨୦୧୭ରେ ଏକ ମାମଲାକୁ ରଫାଦଫା କରିବା ପାଇଁ ଲାଞ୍ଚ ମାମଲାର ଚୂଡାନ୍ତ ରାୟ ଗୁରୁବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶୀତିକଣ୍ଠ ସାମଲ ପ୍ରକାଶ କରିଛନ୍ତି। ଭିଜିଲାନ୍ସ ଜଜ୍‌ ତାଙ୍କ ରାୟରେ କେଗାଁ ଥାନାର ତତ୍କାଳୀନ ଆଇଆଇସି ସମୀର ରାଉତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଅବସରପ୍ରାପ୍ତ ତତ୍କାଳୀନ ଏଏସ୍‌ଆଇ ଟଙ୍କଧର ବୁଦ୍ଧିଆଙ୍କୁ ଦୋଷୀ ସାବ୍ୟସ୍ତ କରି ଏକବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ଅକ୍ଟୋବର ୨୦ରେ କେଗାଁ ଥାନା ଅନ୍ତର୍ଗତ ମକରାଗୁଡା ଗ୍ରାମର ଗଙ୍ଗା ନାଗ ଓ ବେଲାଳ ସାହୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏ ନେଇ ବେଲାଳ କେଗାଁ ଥାନାରେ ଗଙ୍ଗାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅକ୍ଟୋବର ୩୦ରେ ଏଏସ୍‌ଆଇ ଟଙ୍କଧର ବୁଦ୍ଧିଆ ଉଭୟ ପକ୍ଷକୁ ଥାନାକୁ ଡ଼ାକି ମାମଲାର ଆପୋସ ସମାଧାନ କରିବା ପାଇଁ କହିଥିଲେ। ରାତି ହୋଇଯିବାରୁ ପରଦିନ ଆସି ବୁଝାମଣାପତ୍ର ପ୍ରସ୍ତୁତ କରିବା ପାଇଁ କହିଥିଲେ।

ହେଲେ ନଭେମ୍ବର ପହିଲାରେ ବୁଝାମଣାପତ୍ର କରିଦେବା ପାଇଁ ଗଙ୍ଗାଙ୍କୁ ଏଏସ୍‌ଆଇ ବୁଦ୍ଧିଆ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ନଚେତ ତାଙ୍କ ନାମରେ ମାମଲା ରୁଜୁ କରିବେ ବୋଲି କହିଥିଲେ। ସେତେବେଳେ ଗଙ୍ଗା ପାଖରେ ଥିବା ୧୫ଶହ ଟଙ୍କା ଏଏସ୍‌ଆଇ ବୁଦ୍ଧିଆଙ୍କୁ ଦେଇଥିଲେ। ଆଇଆଇସିଙ୍କୁ ମଧ୍ୟ ଦେବାକୁ ପଡ଼ିବ, ତେଣୁ ଅବଶିଷ୍ଟ ୧୫ ଶହ ଟଙ୍କା ନ ଦେଲେ ମାମଲା ରୁଜୁ କରିବି ବୋଲି ଧମକ ଦେଇଥିଲେ।

ନଭେମ୍ବର ୮ରେ ଅବଶିଷ୍ଟ ଟଙ୍କା ଦେବି ବୋଲି ଗଙ୍ଗା କହିଥିଲେ। ଏ ସମ୍ପର୍କରେ ଗଙ୍ଗା ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ୮ ତାରିଖରେ ଟଙ୍କା ଦେବା ବେଳେ ଏଏସ୍‌ଆଇ ବୁଦ୍ଧିଆଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଥିଲା। ପରେ ଆଇଆଇସି ସମୀର ରାଉତଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ କ୍ଷିରୋଦ ପ୍ରସାଦ ନେଗୀ ଓ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପି.କେ. ଦୋରା ପରିଚାଳନା କରୁଥିଲେ।

Share