ମାମୁ-ଭଣଜାଙ୍କ କଳି ପାଇଁ ବଳିପଡ଼ିିଲେ ଭଡ଼ାଟିଆ ଦୋକାନୀ: ଦୋକାନରେ ଭଙ୍ଗାରୁଜା ସହ ଔଷଧ ଫିଙ୍ଗିଲେ ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମାମୁ ଓ ଭଣଜାଙ୍କ ମଧ୍ୟରେ ଜମି ବିବାଦ ପାଇଁ ବଳିପଡ଼ିିଲେ ଭଡ଼ାଟିଆ ଦୋକାନୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଥାନା ଅଧୀନ ଆଇଆରସି ଭିଲେଜ ଏନ୍‌-୫ ପ୍ଲଟ ନଂ-୫୪୦ରେ। ଶୁକ୍ରବାର ସକାଳୁ ଶତାଧିକ ମହିଳା ଶାବଳ ଏବଂ ଅନ୍ୟ ଅସ୍ତ୍ର ଧରି ସେହି ପ୍ଲଟରେ ଥିବା ଔଷଧ ଦୋକାନଗୁଡ଼ିକର ତାଲା ତାଡ଼ି ଭଙ୍ଗାରୁଜା କରିବା ସହ ଔଷଧ ଫିଙ୍ଗି ଦେଇଥିଲେ। ଦୋକାନ ଖୋଲିବାକୁ ଆସିଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ସହ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଛି। ଅଭୟ ଚରଣ ମିଶ୍ରଙ୍କ ଅଭିଯୋଗକ୍ରମେ ନଂ. ୪୨୫/୧୯ରେ ମାମଲା ରୁଜୁ ହୋଇଥିବାବେଳେ ଦୋକାନ ମାଲିକ ରାମଚନ୍ଦ୍ର ବେହୁରା, ପ୍ରଶାନ୍ତ ପରିଡ଼ା, ସର୍ବେଶ୍ୱର ଦାଶ, ଅଶୋକ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ କେସ୍‌ ନଂ-୪୨୬/୧୯ ରୁଜୁକରି ତଦନ୍ତ ଜାରି ରଖିଛି ପୋଲିସ।
ସୂଚନା ଅନୁଯାୟୀ, ଅଭୟ ଓ ତାଙ୍କ ଭଣଜା ଭବାନୀ ଚରଣ ଶତପଥୀଙ୍କ ମଧ୍ୟରେ ଏନ୍‌-୫ ପ୍ଲଟ ନଂ-୫୪୦ ଜାଗାକୁ ନେଇ ବିବାଦ ଲାଗିରହିଛି। ଜାଗାଟି ଅଭୟଙ୍କ ନାମରେ ଥିବା ସେ ଦାବି କରୁଛନ୍ତି। ସେହିପରି ଭବାନୀ ମଧ୍ୟ ନିଜର ବୋଲି ଦାବି କରି ଦଖଲରେ ରଖିଛନ୍ତି। ଭବାନୀ ଉକ୍ତ ଜାଗାକୁ ମେଡିସିନ୍‌ ଦୋକାନୀଙ୍କୁ ଭଡ଼ା ଲଗାଇ ମାସକୁ ଭଡା ନେଉଛନ୍ତି। ତେବେ ଏହି ଜମିର ମାଲିକାନାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଅଭୟଙ୍କ ଅଭିଯୋଗ ଅନୁଯାୟୀ କୋର୍ଟରେ ତାଙ୍କର ଡିଗ୍ରୀ ହୋଇଛି। ତେଣୁ ସେ ଦୋକାନୀଙ୍କୁ ଖାଲି କରିବାକୁ କହିଥିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଦୋକାନୀମାନେ ଅଭିଯୋଗ କରିଛନ୍ତି, ଦୁଇଦିନ ତଳେ ସେଠାରେ କୌଣସି ବିଶୃଙ୍ଖଳା ନ କରିବା ପାଇଁ ପୋଲିସ କହିଥିଲା। ହେଲେ ପୋଲିସ ନିର୍ଦ୍ଦେଶକୁ ସେମାନେ ବେଖାତିର କରି ମହିଳାମାନଙ୍କୁ ଲଗାଇ ଏଭଳି କାଣ୍ଡ ଘଟାଇଛନ୍ତି। ଏଥିଯୋଗୁ ଆମର କୋଟି କୋଟି ଟଙ୍କାର ମେଡିସିନ୍‌ ନଷ୍ଟ ହୋଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି।

Share