ମାରଣାସ୍ତ୍ର ଦେଖାଇ ଯୁବକଙ୍କୁ ଅପହରଣ : ପୂର୍ବ ଶତ୍ରୁତା ସନ୍ଦେହ

ପୁରୀ ଅଫିସ, ୨୬।୭: ପୁରୀ ସଦର ଥାନା ଅଧୀନ ଗଡଭିଙ୍ଗୁରା ଛକରୁ ବୁଧବାର ଜଣେ ଯୁବକଙ୍କୁ ଅପହରଣ କରି ନିଆଯାଇଛି। ସେ ହେଲେ ନୂଆଗାଁର ଅଜୟ ବେହେରା। ଗୁରୁବାର ବାଲିଘାଇ ଫାଣ୍ଡି ଏବଂ ସଦର ଥାନାରେ ଏ ନେଇ ପୃଥକ ଭାବେ ୨ଟି ଅଭିଯୋଗ ହୋଇଛି। ଥାନାରେ ଅଜୟଙ୍କ ବାପା ସିନ୍ଧୁ ବେହେରା ଏବଂ ଫାଣ୍ଡିରେ ତାଙ୍କ ସାଙ୍ଗ ନବଘନ ସ୍ବାଇଁ ଏତଲା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି।
ଉଭୟଙ୍କ ଅଭିଯୋଗରେ ଦର୍ଶାଯାଇଛି, ଗତ ୨୪ତାରିଖରେ ଅଜୟ ଓ ନବଘନ ଏକ ବାଇକ ଯୋଗେ କୌଣସି କାମରେ ପୁରୀ ଯାଇ ଘରକୁ ଫେରୁଥିଲେ। ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁହେଁ ଗଡ଼ଭିଙ୍ଗୁରା ଛକରେ ଠିଆହୋଇଥିଲେ। ଏହି ସମୟରେ ନୂଆଗାଁର ଅକ୍ଷୟ ଓ ତାଙ୍କ ସହଯୋଗୀ ଦୁଇଟି ବାଇକରେ ଆସି ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ଅଜୟଙ୍କୁ ବାଇକ୍‌ ସହ ଅପହରଣ କରିନେଇଥିଲେ। ନବଘନ ଗ୍ରାମକୁ ଯାଇ ଅଜୟଙ୍କ ପରିବାର ଲୋକଙ୍କୁ ଏହା ଜଣାଇଥିଲେ। ସେମାନେ ଗଇଁଡୋଳ, ଗଡଭିଙ୍ଗୁରା ଆଦି ଗ୍ରାମରେ ଖୋଜାଖୋଜି କରି ନିରାଶ ହେବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଘଟଣା ପରଠୁ ଅଜୟଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ରହିଛି। ଫଳରେ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି। ଅପହରଣକାରୀଙ୍କ କବଳରୁ ପୁଅକୁ ଉଦ୍ଧାର କରିବା ଲାଗି ସେମାନେ ପୋଲିସକୁ ଆକୁଳ ନିବେଦନ କରିଛନ୍ତି। ଏ ନେଇ ତଦନ୍ତ ଜାରିରହିଥିବା ପୋଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ିକୁ କେନ୍ଦ୍ରକରି ଅଜୟ (ଅପହୃତ) ଓ ଅକ୍ଷୟ (ଅପହରଣକାରୀ)ଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। କୌଣସି ଏକ ଘଟଣାରେ ଅଜୟ ଜେଲ୍‌ ଯାଇ ଜାମିନରେ ଆସିଥିଲେ। ଏହାପରେ ଅଜୟ ଓ ଅକ୍ଷୟ ମୁହାଁମୁହିଁ ହୋଇଥିଲେ।

Share