ମାରିସା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୬ା୯: ବାରିପଦା ସହରରେ ଦିନକୁ ଦିନ ଅଳିଆ ଆବର୍ଜନା ଜମିବାରେ ଲାଗିଛି । ସହରର ଗଳିକନ୍ଦିରେ କୁଢ କୁଢ ଆବର୍ଜନା ପଚିସଢି ପରିବେଶକୁ ଦୂଷିତ କରୁଛି। ମ୍ୟୁନିସିପାଲଟି ପକ୍ଷରୁ ଏସବୁକୁ ସଫା ସୁତୁରା କରାଯାଉ ନ ଥିବାରୁ ମଶା ମାଛିଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ବସବାସ କରୁଥିବା ଲୋକମାନଙ୍କୁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା) ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ମ୍ୟୁନିସିପାଲଟି ପକ୍ଷରୁ ଅଳିଆ ଆବର୍ଜନା ସଫା କରିବା ସହ ବ୍ଲିଚିଙ୍ଗ, ମଶମରା ତେଲ, ଫିନାଇଲ ଆଦି ବ୍ୟବହାର କରିବାକୁ ଦାବି କରାଯାଛି। ସେହିପରି ମଶା ଧୂଆଁ ଗାଡି, ଗାଁ କଲ୍ୟାଣ ସମିତି ଜରିଆରେ ପରିବେଶ ସଫା ସୁତୁରା, ପଞ୍ଚାୟତ ପକ୍ଷରୁ ଖାଲ ଗୁଡିକ ସମତୁଲ କରିବା ଓ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ମଶାରୀ ପ୍ରଦାନ କରିବା ପାଇଁ ଦାବି ହୋଇଛି । ଉଲ୍ଲେଖଯୋଗ୍ୟ, ବାରିପଦା ସହରରେ ବିଗତ ୩ ବର୍ଷ ମଧ୍ୟରେ ୬୦ ହଜାର ୩୪ ଜଣ ଲୋକ ମ୍ୟାଲେରିଆ ଓ ୧୭୯ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେଥି ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ମ୍ୟାଲେରିଆ ଓ ଡେଙ୍ଗୁର ପ୍ରତିଷେଧକ ଟୀକା ଓ ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେଇ ସଚେତନତା ସୃଷ୍ଟି କରାଯାଉ ବୋଲି ମାରିସା ପକ୍ଷରୁ ଦାବି କରାଯାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଅନ୍ୟମାନଙ୍କ ମଧ୍ୟରେ ମାରିସାର ଜିଲା ସଭାପତି ଅର୍ଜ୍ଜୁନ ମୁର୍ମୁ, ଉପସଭାପତି ରଘୁନାଥ ମୁର୍ମୁ, ପରେଶ ମାଣ୍ଡି, ଶଙ୍ଖର ବାସ୍କେ, ପ୍ରଭାସ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Share