ମାର୍କଣ୍ଡିର ଦୁଃଖ ଅସମ୍ପୂର୍ଣ୍ଣ ବ୍ରିଜ୍‌

ବ୍ରହ୍ମପୁର ଅଫିସ୍‌,୩୦ା୧୦- ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତର ଦୁଃଖ ପାଲଟିଛି ଅସଂପୂର୍ଣ୍ଣ ବ୍ରିଜ୍‌। ଏହି ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଜନପ୍ରତିନିଧି ଠାରୁ ପ୍ରଶାସକ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଞ୍ଚଳବାସୀ ଗୁହାରି କରି ସାରିଲେଣି। ହେଲେ କୌଣସି ସୁଫଳ ମିଳିନାହିଁ। ସୋମବାର ଅଞ୍ଚଳବାସୀ ଏନେଇ ଜିଲାପାଳଙ୍କୁ ଅବଗତ କରିଛନ୍ତି। ତାମ୍ପରା ନଦୀ ଉପରେ ବହୁ ବର୍ଷ ହେଲା ଏକ ବ୍ରିଜ୍‌ ରହିଛି, କିନ୍ତୁ ଉକ୍ତ ବ୍ରିଜ୍‌ଟି ଜରାଜୀର୍ଣ୍ଣ ଅବସ୍ଥାରେ। ବିପଦପୂର୍ଣ୍ଣ ଭାବେ ବ୍ରିଜ୍‌ ରହିଛି। ବ୍ରିଜର ଉଚ୍ଚତା କମ୍‌ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ଉପରେ ପାଣି ଚାଲୁଛି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଜନପ୍ରତିନିଧିଙ୍କୁ ଅବଗତ କରିଥିଲେ। ଫଳରେ ନଦୀ ଉପରେ ଆଉ ଏକ ଉଚ୍ଚ ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା। ବ୍ରିଜ୍‌ କାମ ଆରମ୍ଭ ହୋଇଛି, କିନ୍ତୁ ଶେଷ ହେଉନି। ଜମି ବିବାଦ ଯୋଗୁ ପ୍ରାୟ ୫ ବର୍ଷ ହେଲା କାମ ବନ୍ଦ ରହିଛି। ଏପଟେ ପୂର୍ବବତ୍‌ ଅଞ୍ଚଳବାସୀ ପୁରୁଣା ବ୍ରିଜ୍‌ ଉପରେ ହିଁ ନିର୍ଭର କରୁଛନ୍ତି। ବର୍ଷର ଅନ୍ୟ ଦିନଗୁଡ଼ିକରେ ପୁରୁଣା ବ୍ରିଜ୍‌ ବିଶେଷ ସମସ୍ୟା ସୃଷ୍ଟି କରୁନି, କିନ୍ତୁ ବର୍ଷା ହେଲା ପରିସ୍ଥିତି ଜଟିଳ ହୋଇପଡ଼ୁଛି। ପୁରୁଣା ବ୍ରିଜ୍‌ ଉପରେ ବହୁ ଫୁଟ ଉଚ୍ଚରେ ପାଣି ଚାଲୁଛି। ବ୍ରିଜ୍‌ ଉପରେ ଯିବା ଅସମ୍ଭବ ହୋଇପଡ଼ୁଛି। ଗତ ମାସ ଶେଷରେ ଲଗାଣ ବର୍ଷା ଯୋଗୁ ବ୍ରିଜ୍‌ ଉପରେ ପାଣି ଚାଲିଲା। ୪ଦିନ ପର୍ଯ୍ୟନ୍ତ ମାର୍କଣ୍ଡି ପଞ୍ଚାୟତର ଅନେକ ଗ୍ରାମ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା। ଲୋକମାନେ ଜଳବନ୍ଦୀ ହୋଇପଡ଼ିଥିଲେ। ନାଳ ପାଣି ଉପରେ ଗୌଉଞ୍ଜୁ, କମଳାପୁର, ହାତୀପାଦ ଏବଂ ଏକ୍ସିଙ୍ଗି ଗ୍ରାମବାସୀ ନିର୍ଭର କରିଥାନ୍ତି। ଏଣୁ ନିର୍ମାଣାଧୀନ ବ୍ରିଜ୍‌ କାମ ଶେଷ ହେଲେ ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀଙ୍କ ତରଫରୁ ଶରତ ଚନ୍ଦ୍ର ବେହେରା, ପି.ନରସିଂହାଲୁ ରେଡ୍ଡୀ, ସରୋଜ କୁମାର ସାହୁ, ବି.ତାତେୟା, କାହ୍ନା ମହାନ୍ତି ଏବଂ ଦିବାକର ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି।

Share