ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି: ଥଇଥାନ ହୋଇ ପାରୁନାହାନ୍ତି ୪୦ ବ୍ୟବସାୟୀ

ତିହିଡ଼ି, ୨୩।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି। ଏଯାଏ ଏହାକୁ ବ୍ୟବହାର ଉପଯୋଗୀ କରାଯାଇ ନାହିଁ। ଏ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଳିଆ ହାଟରୁ ଉଚ୍ଛେଦ ହୋଇଥିବା ୪୦ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ପ୍ରଶାସନିକ ଅବହେଳା କାରଣରୁ ସେମାନଙ୍କ ଜୀବନ ଜୀବିକା ସଙ୍କଟରେ ପଡିଛି।
ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ୧.୪କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ପଞ୍ଚାୟତବାସୀଙ୍କ ଆର୍ଥିକ ବିକାଶ ଲାଗି ସରକାର ଯୋଜନା କରିଥିଲେ ମଧ୍ୟ ରାଜନୈତିକ ବିବାଦ ଏଥିରେ ଅନ୍ତରାୟ ସୃଷ୍ଟି କରିଥିଲା। ସେତେବେଳେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ପାଳିଆ ହାଟରୁ ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ଥଇଥାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସରିବା ପରେ ୨୦୧୬ରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏହାକୁ ଉଦ୍‌ଘାଟନ କରିଥିଲେ। ପରେ କମ୍ପ୍ଲେକ୍ସ ଗୃହର ଆବଣ୍ଟନ ବେଳେ ବିବାଦ ଉପୁଜିବାରୁ ପ୍ରଶାସନ ଅଡୁଆରେ ପଡିଥିଲା। ତତ୍କାଳୀନ ଉପଜିଲାପାଳ, ଆରଏମସି ସମ୍ପାଦକ, ସରପଞ୍ଚ ଏବଂ ଦୋକାନୀମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲେ ମଧ୍ୟ ପରେ ବିବାଦୀୟ ସ୍ଥିତି ବଢିଥିଲା। ଏହାମଧ୍ୟରେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସ ଅବ୍ୟବହୃତ ହୋଇ ପଡ଼ିରହିଛି। ଆରଏମସି କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏ ପ୍ରକାର ପରିସ୍ଥିତି ଉପୁଜିଥିବା ପୂର୍ବତନ ସରପଞ୍ଚ ବସନ୍ତ ନାୟକ ଏବଂ ଅନ୍ୟ ବ୍ୟବସାୟୀ କହିଛନ୍ତି। ବିଭିନ୍ନ ସମୟରେ ଆରଏମସି କର୍ତ୍ତୃପକ୍ଷଙ୍କୁ ଭେଟି ମାର୍କେଟ କମ୍ପ୍ଲେକ୍ସ ସମସ୍ୟା ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସରପଞ୍ଚ ଉଷାକାନ୍ତ ନାୟକ କହିଛନ୍ତି। ନିର୍ବାଚନ ଆଚରଣ ବିଧି ଉଠିବା ପରେ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆରଏମ୍‌ସି ସମ୍ପାଦକ ବିକାଶ ନାୟକ କହିଛନ୍ତି।