Categories: ଗଞ୍ଜାମ

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ନେଇ ହାଇକୋର୍ଟରେ ମାମଲା: ସମାଧାନ ଲାଗି ଜିଲାପାଳଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୨୨ା୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ଏନ୍‌ଏସି ମଧ୍ୟ ଦେଇ ଆସିକା-ହୁମ୍ମାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର କଲେଜଛକ ନିକଟରେ ବିବାଦୀୟ ଜାଗାରେ ପୁନନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ପୁଣି ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ସାମାଜିକକର୍ମୀ ଗଙ୍ଗାଧର ସ୍ବାଇଁ। ସେ ପୁଣି ଏକ ମିସ କେସ ଦାଖଲ କରିଛନ୍ତି। ଏହାର ଶୁଣାଣି କରି ବିଚାରପତି ଜିଲାପାଳଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଗଙ୍ଗାଧର କହିଛନ୍ତି ଯେ, ଏନଏସି ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ପୂର୍ତ୍ତବିଭାଗ ରାଜରାସ୍ତାର ପୁରୁଷୋତ୍ତପୁର ମୌଜାରେ ଥିବା ଖାତା ନଂ ୧୭୮୫ର ପ୍ଳଟ ନଂ ୧୨୮୧/୩୫୯୪, ୩୫୯୫, ୩୫୯୬, ୩୭୯୭, ୩୫୯୮, ୩୫୯୯, ୩୬୦୦, ୩୬୦୧ ଓ ୩୬୦୨ରେ ୨୦୦୬ରେ ଦୋକାନ ଘର ନିର୍ମାଣ କରୁଥିଲେ। ଏହାକୁ ସହରବାସୀ ବିରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଏନେଇ ସାମାଜିକକର୍ମୀ ଗଙ୍ଗାଧର ହାଇକୋର୍ଟର ଏକ ଜନସ୍ବାର୍ଥ ମାମଲା ଡବ୍ଲୁ ପିସିସି-୧୬୨୪୪/୨୦୦୬ରେ ରୁଜୁ କରିଥିଲେ। ଏହା ବର୍ତ୍ତମାନ ସୁଦ୍ଧା କୋର୍ଟରେ ରହିଛି। ଇତିମଧ୍ୟରେ ଆସିକା-ହୁମ୍ମା ରାସ୍ତା ସମ୍ପ୍ରସାରଣ ନିମନ୍ତେ ଗତ ଅକ୍ଟୋବର ୩ରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ସମୟରେ ଏନ୍‌ଏସି ପକ୍ଷରୁ ନିର୍ମାଣ କରି ଭଡାରେ ଦିଆ ଯାଇଥିବା ଉକ୍ତ ଦୋକାନ ଘରଗୁଡିକ ଭାଙ୍ଗି ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ରାସ୍ତା ନିର୍ମାଣ ଓ ପାର୍କିଂ ସମସ୍ୟା ପ୍ରତି ଏନ୍‌ଏସି ପ୍ରଶାସନ ଗୁରୁତ୍ୱ ନଦେଇ ପୁଣି ସେହି ସ୍ଥାନରେ ଦୋକାନ ଘର ନିର୍ମାଣ କରୁଛି। ଫଳରେ ଗଙ୍ଗାଧର ପୁଣି ହାଇକୋର୍ଟରେ ନଂ. ଡବ୍ଲୁପିସିସି-୧୧୮୯୬/୨୦୧୯ପ୍ରକାରେ ଗଞ୍ଜାମ ଜିଲାପାଳ, ପୂର୍ତ୍ତବିଭାଗ ଓ ପୁରୁଷୋତ୍ତମପୁର ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ପକ୍ଷଭୂକ୍ତ କରି କେସ ଦାୟର କରିଥିଲେ। ଏହାର ଶୁଣାଣି ୧୨ ତାରିଖରେ ମୂଖ୍ୟ ବିଚାରପତିଙ୍କ କୋର୍ଟରେ ହେବାବେଳେ ନିଜେ ଗଙ୍ଗାଧର ହାଜର ହୋଇ ସମସ୍ୟା ସମ୍ପର୍କରେ ଜଣାଇ ସମାଧାନ ପାଇଁ ପ୍ରାର୍ଥନା କରିଥିଲେ। ଚାରିସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରି କୋର୍ଟଙ୍କୁ ଜଣାଇବା ଲାଗି ବିଚାରପତି ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏବେ ଏନ୍‌ଏସିର ଦୋକାନ ଘର ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଛି।