ମାର୍କେଟ ବିଲ୍ଡିଂରେ ଆତଙ୍କ ସୃଷ୍ଟି କରିବା ଘଟଣା: ପୁଣି ୩ ଅଭିଯୁକ୍ତଙ୍କ ନାମରେ ଏନ୍‌ଏସ୍‌ଏ ଲଗାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ମଙ୍ଗଳବାର ପୁଣି ୩ ଅଭିଯୁକ୍ତଙ୍କ ନାମରେ କମିଶନରେଟ ପୋଲିସ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ) ଲଗାଇଛି। ଅଭିଯୁକ୍ତ ଗୋପୀନାଥ ନାୟକ, ସ୍ମୃତିସାଗର ମହାପାତ୍ର, ସୁରଜ ଶାହାଙ୍କ ନାଁରେ ଆଇନ୍‌ ଶୃଙ୍ଖଳା ଭଙ୍ଗ ଓ ସାମାଜିକ ସ୍ଥିତି ବିଗାଡ଼ିବା ଅଭିଯୋଗରେ ଏନ୍‌ଏସ୍‌ଏ ଲଗାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ମାର୍କେଟ ବିଲ୍ଡିଂ କେଶରୀ ମଲ ଆଗରେ ଧନଞ୍ଜୟ କୁମାରଙ୍କ ଘଣ୍ଟା ଦୋକାନ ରହିଛି। ସେଠାରେ ନୀତିଶ କୁମାର ନାମକ ଜଣେ ଯୁବକ କାର୍ଯ୍ୟ କରନ୍ତି। ଗତ ୯ ତାରିଖ ରାତି ୯ଟାରେ ଜଣେ ଯୁବତୀ ଘଣ୍ଟା ନେବା ପାଇଁ ସେଠାକୁ ଯାଇଥିଲେ। ଘଣ୍ଟାର ଦାମ୍‌କୁ ନେଇ ନୀତିଶଙ୍କ ସହିତ ଯୁବତୀଙ୍କର ବଚସା ହୋଇଥିଲା। ଏହାପରେ ଯୁବତୀ ଜଣକ ତାଙ୍କ ଭାଇକୁ ଫୋନ କରି ଜଣାଇଥିଲେ। ଫଳରେ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷ ଥାନାକୁ ଯାଇଥିଲେ। ପରଦିନ ଅର୍ଥାତ ଗତ ୧୦ ତାରିଖ ଯୁବତୀଙ୍କ ଭାଇ ଚିଣ୍ଟୁଙ୍କ ସହଯୋଗ ନେଇଥିଲେ। ଫଳରେ ଚିଣ୍ଟୁ ଓ ତାଙ୍କର କେତେଜଣ ସହଯୋଗୀ ପ୍ରାୟ ୩୮ ପିଲାଙ୍କୁ ଧରି ଖଣ୍ଡା, ଲୁହାରଡ଼, ବନ୍ଧୁକ ସହ ସନ୍ଧ୍ୟା ୭ଟାରେ ମାର୍କେଟ ବିଲ୍ଡିଂରେ ପହଞ୍ଚିଥିଲେ। ଦେଖୁ ଦେଖୁ ସେମାନେ ପ୍ରାୟ ୪୦ ଉଠା ଦୋକାନରେ ଭଙ୍ଗାରୁଜା କରିବା ସହ ଗ୍ରାହକ, ବ୍ୟବସାୟୀ ଯିଏ ଆଗରେ ପଡ଼ିଲେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଶିବନାଥ ରାୟ, ରାଜେଶ ଦାଶ, ସମେନ୍ଦ୍ର ଶାହା, କୃଷ୍ଣା ରାଉତରାୟ ଆହତ ହୋଇଥିଲେ।

Share