ମାର୍କେଟ ବିଲ୍ଡିଂରେ ଆତଙ୍କ: ଯାହାକୁ ଦେଖିଲେ ପିଟିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା। ପ୍ରାୟ ୭୦ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ପଶିଆସିଥିଲେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂକୁ। ଦେଖୁ ଦେଖୁ ଖେଳିଯାଇଥିଲା ଆତଙ୍କ। ଦୁର୍ବୃତ୍ତମାନେ କେଶରୀ ମଲ ସମ୍ମୁଖ ୩୦ରୁ ଊର୍ଦ୍ଧ୍ୱ ଦୋକାନକୁ ଭଙ୍ଗାରୁଜା କରିବା ସହ ଦୋକାନୀ, ଗ୍ରାହକ ଯାହାକୁ ଦେଖିଲେ ମରଣାନ୍ତକ ଆକ୍ରମଣ କଲେ। ଲୋକେ ପ୍ରାଣ ଭୟରେ ଏଣେ ତେଣେ ଦୌଡ଼ିଥିଲେ। ଅନେକେ କେଶରୀ ମଲ୍‌ ଭିତରକୁ ପଶି ସୁରକ୍ଷିତ ରହିବାକୁ ଚେଷ୍ଟା କରିଥିଲେ। ପ୍ରାୟ ୧୦ ମିନିଟ ଧରି ଆତଙ୍କ ଖେଳାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ମାତ୍ର ଆକ୍ରମଣର ଶିକାର ୨ ଦୋକାନୀ ୨ ଆକ୍ରମଣକାରୀଙ୍କ ସହ ସାହସିକତାର ସହ ଲଢ଼ି ସେମାନଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଗୁରୁବାର ରାତିରେ ହାତଘଣ୍ଟା ଦୋକାନୀଙ୍କ ସହ ଜଣେ ଯୁବତୀଙ୍କ ମୂଲଚାଲକୁ ନେଇ ହୋଇଥିବା ବଚସା ଓ ମାରପିଟ୍‌ରୁ ଶୁକ୍ରବାର ଏଭଳି ହିଂସାକାଣ୍ଡ ଘଟିଛି ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି। ଘଟଣା ପଛରେ ଅନ୍ୟ କାରଣ ମଧ୍ୟ ଥାଇପାରେ। ଏନେଇ ତଦନ୍ତ ଜାରି ରହିବା ସହ ଦୁର୍ବୃୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ସେ କହିଛନ୍ତି। ସୂଚନା ମୁତାବକ କେଶରୀ ମଲ ସମ୍ମୁଖ ରାସ୍ତାକଡ଼ରେ ଥିବା ଆମୋଦ କୁମାର ଶାହାଙ୍କ ଏକ ଘଣ୍ଟା ଦୋକାନକୁ ଗୁରୁବାର ରାତି ସାଢେ ୯ଟାରେ ଜଣେ ଯୁବତୀ ଆସିଥିଲେ। ଆମୋଦ ଘଣ୍ଟାର ଦାମ ୨୫୦ ଟଙ୍କା କହିଥିଲେ, ମାତ୍ର ଯୁବତୀ ଜଣକ ତାହାକୁ ୧୦୦ ଟଙ୍କାରେ ନେବାକୁ ଚାହିଁଥିଲେ। ମୂଲ୍ୟ ୧୫୦ ଟଙ୍କାରୁ କମ୍‌ ନ ହେବାରୁ ସେ ରାଗରେ ଘଣ୍ଟାକୁ ଆମୋଦଙ୍କ ଉପରକୁ ଫିଙ୍ଗିଦେଇଥିଲେ। ଆମୋଦ ବିରୋଧ କରିବାରୁ ଯୁବତୀ ତାଙ୍କର ୪ ସହଯୋଗୀଙ୍କୁ ଡକାଇଥିଲେ। ସେମାନେ ପହଞ୍ଚତ୍ ଅମୋଦଙ୍କୁ ମାଡ଼ ମାରିଥିଲେ। ସ୍ଥାନୀୟ ଦୋକାନୀମାନେ ବିରୋଧ କରିବା ସହ ପିସିଆର ଡକାଇ ଉକ୍ତ ଯୁବକମାନଙ୍କୁ କ୍ୟାପିଟାଲ ଥାନାକୁ ପଠାଇଥିଲେ। ଉଭୟ ପକ୍ଷରୁ ଥାନାରେ ସମାଧାନ ହୋଇଥିଲା। କିନ୍ତୁ ଏହି ଘଟଣାକୁ ନେଇ ଶୁକ୍ରବାର ହିଂସାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇ ଛାନ୍‌ଭିନ୍‌ ଚଳାଇଛି। ଅନ୍ୟପକ୍ଷରେ ୨ ଆକ୍ରମଣକାରୀଙ୍କୁ ଧରିଥିବା ୨ ଦୋକାନୀ ଧମେନ୍ଦ୍ର ସାହୁ ଓ ଶିବନାଥ କୁମାରଙ୍କ ମୁଣ୍ଡ ଫାଟିଯାଇଛି। କ୍ୟାପିଟାଲ ଥାନା ପୋଲିସ ସେମାନଙ୍କୁ ହସ୍ପିଟାଲ ପଠାଇବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସମସ୍ତ ଆକ୍ରମଣକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।

Share