ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣା: ଆଉ ୪ ଗିରଫ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ସ୍ଥାନୀୟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ଆଉ ୪ ଜଣଙ୍କୁ କମିଶନରେଟ୍‌ ପୋଲିସ ରବିବାର ଗିରଫ କରିଛି। ତେବେ ଗିରଫ ହୋଇଥିବା ୪ ଜଣ ନାବାଳକ ହୋଇଥିବା ବେଳେ ସ୍କୁଲ କଲେଜରେ ପାଠପଢ଼ୁଥିବା ସୂଚନା ମିଳିଛି। ଏହି ଘଟଣାରେ ପୋଲିସ ମୋଟ୍‌ ୨୨ ଜଣଙ୍କୁ ଗିରଫ କରିଛି। ଉକ୍ତ ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ବେଳେ ୨୧ଜଣ ଚିହ୍ନଟ ହୋଇଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୨ ନାବାଳକ ଓ ୬ ସାବାଳକ ଥିଲେ।
ପ୍ରକାଶଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ୩୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ମୁହଁରେ କଳାକନା ପିନ୍ଧି ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ମାର୍କେଟ ବିଲ୍ଡିଂ ଭିତରକୁ ପଶି ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଅତର୍କିତ ଆକ୍ରମଣ କରି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଭାଙ୍ଗି ଚୂରମାର କରିଦେଇଥିଲେ। ପ୍ରାୟ ୧୦ ମିନିଟ ଧରି ଆତଙ୍କ ଖେଳାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିଲେ। ଏଥିରେ ୨ଜଣ ଦୋକାନୀ ଗୁରୁତର ହୋଇଥିଲେ। ମାତ୍ର ଆକ୍ରମଣର ଶିକାର ୨ ଦୋକାନୀ ଆକ୍ରମଣକାରୀଙ୍କ ସହ ଲଢ଼ି ୨ଜଣଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ପୋଲିସ ଜିମା ଦିଆଯାଇଥିଲା। ତେବେ ଗୁରୁବାର ଜଣେ ଯୁବତୀଙ୍କ ସହ ଏକ ଦୋକାନୀଙ୍କ ଜିନିଷ କିଣା ମୂଲଚାଲକୁ ନେଇ ସୃଷ୍ଟ ବଚସା ଓ ମାରପିଟ୍‌ରୁ ଶୁକ୍ରବାର ଏଭଳି ହିଂସାକାଣ୍ଡ ଘଟିଥିବା ଡିସିପି ଅନୁପ କୁମାର ସାହୁ କହିଥିଲେ।

Share