ନୂଆଦିଲ୍ଲୀ,୨୨।୬: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍ଆଇଏଲ୍) ମାର୍କେଟ ଭାଲ୍ୟୁଏଶନରେ ନୂଆ ରେକର୍ଡ କରିଛି। କୌଣସି ଭାରତୀୟ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ସୋମବାର ପ୍ରଥମଥର ଲାଗି ୧୫୦ ବିଲିୟନ ଡଲାରର ବଜାର ମୂଲ୍ୟ ହାସଲ କରିବାକୁ ସକ୍ଷମ ହୋଇଛି। ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍ଇ)ର ସକାଳର କାରବାରରେ କମ୍ପାନୀର ମାର୍କେଟ ଭାଲ୍ୟୁଏଶନ ୨୮,୨୪୮ କୋଟି ଟଙ୍କା ବଢିଥିଲା। ଫଳରେ ଏହା ୧୧.୪୩ ଲକ୍ଷ କୋଟି( ୧୫୦ ବିଲିୟନ ଡଳାର) ଛୁଇଁଥିଲା। ହେଲେ କାରବାର ଶେଷ ବେଳକୁ କମ୍ପାନୀ ଏହି ଧାରାକୁ ରଖି ପାରି ନ ଥିଲା ଫଳରେ ଏହାର ଭାଲ୍ୟୁଏଶନ ୧୧.୦୭ ଲକ୍ଷ କୋଟି(୧୪୫.୬୮ ବିଲିୟନ ଡଲାର)କୁ ଖସି ଆସିଥିଲା। କମ୍ପାନୀର ଷ୍ଟକ ୨.୫୩% ବୃଦ୍ଧି ଘଟି ଦିନ ମଧ୍ୟରେ ରେକର୍ଡ ୧୮୦୪ ଟଙ୍କା ଛୁଇଁଥିଲା। ପରେ ଏଥିରେ ୦.୭୦% ଖସିବା ଯୋଗୁ ୧୭୪୭ ଟଙ୍କାରେ କାରବାର ବନ୍ଦ ରହିଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍ଏସ୍ଇ)ରେ କମ୍ପାନୀର ଷ୍ଟକ କାରବାର ୦.୩୯% ନିମ୍ନରେ ରହି ୧୭୫୨ ଟଙ୍କାରେ ବନ୍ଦ ହୋଇଛି। ଦିନ ମଧ୍ୟରେ ଏହା ୨.୫୪% ବୃଦ୍ଧି ଘଟିଥିଲା। କମ୍ପାନୀ ଶୁକ୍ରବାର ପ୍ରଥମ କରି ୧୧ ଲକ୍ଷ କୋଟି ବଜାର ଭାଲ୍ୟୁଏଶନ ମାର୍କ ଟପିଥିଲା। ରିଲାଏନ୍ସ ନେଟ୍ ଋଣ ମୁକ୍ତ ହେବା ପରେ କମ୍ପାନୀର ଶେୟାର କାରବାରରେ ଉନ୍ନତି ଦେଖାଯାଇଛି। ବିଶ୍ୱ ସ୍ତରର ନିବେଶକଙ୍କଠାରୁ ୧.୧୫ ଲକ୍ଷ କୋଟି ଏବଂ ରାଇଟ୍ସ ଇସ୍ୟୁରୁ ୫୩,୧୨୪ କୋଟି ଟଙ୍କା ଉଠାଇବାକୁ କମ୍ପାନୀ ସକ୍ଷମ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀର ନେଟ ଋଣ ୧.୬୧ ଲକ୍ଷ କୋଟି ଟଙ୍କା ରହିଥିଲା। ନେଟ୍ ଋଣ ମୁକ୍ତ ହେବା ପରେ କମ୍ପାନୀର ଷ୍ଟକ କାରବାର ୧୫.୩୯% ବଢିଥିବା ଜଣାପଡିଛି।